ନୂଆ ବର୍ଷରେ ଟିକେ ହାଲକେଇକି ନେଇଗଲେ କିନ୍ତୁ ସମ୍ଭାଳିପାରିଲେନି, ରାସ୍ତାରେ ପଡି ମଦୁଆ କନେଷ୍ଟବଳ ହଟ୍ଟହଟା

ବାଙ୍କୀ(କେନ୍ୟୁଜ୍): ନୂଆ ବର୍ଷରେ ଟିକେ ହାଲେକେଇକି ନେଇଗଲେ କିନ୍ତୁ ସମ୍ଭାଳି ପାରିଲେନାହିଁ । ରାସ୍ତା  ପଡି ମାନ ମର୍ଯ୍ୟଦା ସବୁ ହାରିଲେ ବାଙ୍କି ତାଳବସ୍ତ ଫାଣ୍ଡିର କନେଷ୍ଟବଳ ଅକ୍ଷୟ କୁମାର ଦାସ। ଗୋଟିଏ ପଟେ ଜିରୋ ନାଇଟ ସେଲିବ୍ରେସନ ଉପରେ କଟକଣା ଲାଗିବା ପରେ  ପୋଲି ରାସ୍ତା ଘାଟରେ ମଦୁଆଙ୍କୁ ଚେକ କରିବାରେ ବ୍ୟସ୍ତ କିନ୍ତୁ ଅନ୍ୟ ପଟେ ନୂଆବର୍ଷ ଦିନ ସେହି ଖାକି ପୋଷାକଧାରୀ କନେଷ୍ଟବଳ ମଦ ପିଇ ରାସ୍ତାରେ ଗଡୁଥିବାର ଭିଜୁଆଲ ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଦୃଶ୍ୟ ଦେଖିବାକୁ  ମିଳିଛି  ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଅଞ୍ଚଳରେ।

ତାଳବସ୍ତ ଫାଣ୍ଡିରେ କାର୍ଯ୍ଯରତ ପୋଲିସ କନେଷ୍ଟବଳ ଅକ୍ଷୟ କୁମାର ଦାସ ଡ୍ୟୁଟି ସମୟରେ ପ୍ରଚୁର ମଦ୍ୟପାନ କରି ରାସ୍ତାରେ ନିଜ ବାଇକ ରଖି ପଡ଼ିଥିଲେ।  ସ୍ଥାନୀୟ  ଲୋକେ ଦେଖିବା ପରେ ଭାବିଥିଲେ କେହି ପୋଲିସ ଅଧିକାରୀ କିଛି ଦୁର୍ଘଟଣାର ଶିକାର ହୋଇ ପଡିଥିବେ ବୋଧେ।  କିନ୍ତୁ ପୋଲିସ ପୋଷାକରେ କିଏ ପଡିଛନ୍ତି ବୋଲି ଭାବି ଉଠାଇବା ବେଳକୁ ଜଣା ପଡିଲା ସେ ହେଉଛନ୍ତି ତାଳବସ୍ତ ଫାଣ୍ଡିରେ ଡିୟୁଟିରେ ଥିବା କନେଷ୍ଟବଳ ଅକ୍ଷୟ ଦାସ। ସେ କୌଣସି ଅସୁସ୍ଥତା ପାଇଁ ନୁହେଁ ବରଂ ପ୍ରଚୁର ମଦ ପିଇବା ପରେ ସେ  ନିଶାରେ ଚୂର ହୋଇ ରାସ୍ତାରେ ପଡିଛନ୍ତି।  ଅବସ୍ଥାଏପରି ହୋଇଥିଲା କି କଥା କହି ପାରୁନଥିବା ସହିତ ଛିଡା ହୋଇ ପାରୁନଥିଲେ । କନେଷ୍ଟବଳଙ୍କୁ ଶେଷରେ ଅଟୋରେ ଭର୍ତ୍ତି କରି ଲୋକେ ଫାଣ୍ଡିକୁ ଆଣି ଫାଣ୍ଡି ଅଧିକାରୀଙ୍କ ଜିମା ଦେଇ ଯାଇଛନ୍ତି। ସୂଚନା ମିଳିଛି କି ଏମାନେ  ଚୋରାମଦ ବେପାରୀକୁ ଧରିବେ ବୋଲି  ବୁଲୁଥିଲେ।