ଲଘୁଚାପ ପ୍ରଭାବରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ବର୍ଷା, ଆଜି ୨ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(କେନ୍ୟୁଜ୍):ବନ୍ୟା ବିପଦ ଟଳି ନଥିବା ବେଳେ ପୁଣି ଭୟ ବଢ଼ାଇଛି ଲଘୁଚାପ । ଉତ୍ତର-ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଆଜି ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଏହା ଅବପାତରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ବଢିବ ବର୍ଷା ପରିମାଣ । ଦୁଇ ଦିନ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଗୋଟିଏ ଦୁଇଟି ସ୍ଥାନରେ ଅତି ଭୀଷଣ ବର୍ଷାର ଆଶଙ୍କା ରହିଛି। ଆଜି ଅତି ଭୀଷଣ ବର୍ଷା ପାଇଁ ୨ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳରୁ ଅତିପ୍ରବଳ ହେବା ସ୍ଥାନରେ ତଳିଆ ଅଞ୍ଚଳରେ ଜଳବନ୍ଦୀ କିମ୍ବା ଫ୍ଲାସ ଫ୍ଲଡର ସମସ୍ୟା ଉପୁଜିପାରେ। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ମାଟି ଧସିବା ଆଶଙ୍କା ରହିଛି। କଚ୍ଚାରାସ୍ତା, କଚ୍ଚା ଘର କ୍ଷତିଗ୍ରସ୍ତ ହୋଇପାରେ। ଅଧିକ ବର୍ଷା ଫଳରେ ନଦୀର ଜଳସ୍ତର ବଢିପାରେ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର। ୨୦ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ଚେତାବନୀ ଜାରି ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.