ପୁରୀ ଜିଲ୍ଲାର ୬ଟି ବିଧାନସଭା ଆସନ ମଧ୍ୟରୁ ୪ରେ ବିଜେଡି, ହାରିଲେ ବିଜେଡ଼ିର ହେଭିୱେଟ୍‌ ମହେଶ୍ବର ଓ ସଂଜୟ

ପୁରୀ : ପୁରୀ ଜିଲ୍ଲାର ୬ଟି ବିଧାନସଭା ଆସନ ମଧ୍ୟରୁ ଶାସକ ବିଜେଡି ୪ଟିରେ ନିଜ ସ୍ଥିତି ଜାହିର ରଖିବାରେ ସଫଳ ହୋଇଛି। ପୁରୀ ସଦର ଓ ବ୍ରହ୍ମଗିରି ଆସନରେ ପରାଜୟ ମୁହଁ ଦେଖିଛି ଦଳ। ଏହି ଦୁଇଟି ଆସନ ବିଜେପି ଛଡ଼ାଇ ନେଇଛି। ପ୍ରଥମ ଥର ପାଇଁ ପୁରୀ ବିଧାନସଭା କ୍ଷେତ୍ରରେ ବିଜେଡିର ଟାଣୁଆ ନେତା ମହେଶ୍ବର ମହାନ୍ତିଙ୍କୁ ଝଟ୍‌କା ଲାଗିଛି। ସେହିପରି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବି ପରାଜୟ ହୋଇଛନ୍ତି।

କାକଟପୁର, ନିମାପଡ଼ା, ପିପିଲି ଓ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ବିଜେଡି ପୁଣି ଥରେ ବିଜୟର ବାନା ଉଡ଼ାଇଛି। କାକଟପୁର ନିର୍ବାଚନ ମଣ୍ଡଳୀକୁ ବାଦ୍‌ ଦେଲେ ଅନ୍ୟ ୩ଟି ନିର୍ବାଚନ ମଣ୍ଡଳୀରେ ଶାସକ ବିଜେଡିକୁ ବିଜେପି ହିଁ କଡ଼ା ଟକ୍କର ଦେଇଛି। ଫଳାଫଳ ଅନୁଯାୟୀ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ସଂଜୟ ଦାସବର୍ମାଙ୍କୁ ୨୧୩୦ ଭୋଟ୍‌ ବ୍ୟବଧାନରେ ବି‌ଜେପିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ପରାସ୍ତ କରିଛନ୍ତି।

ସେହିପରି କାକଟପୁର ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ତୁଷାରକାନ୍ତି ବେହେରା କଂଗ୍ରେସର ବିଶ୍ବଭୂଷଣ ଦାସଙ୍କୁ ପରାସ୍ତ କରିଛନ୍ତି। ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୀର ରଞ୍ଜନ ଦାଶ ଲଗାତାର ତୃତୀୟ ଥର ପାଇଁ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଭାତୀ ପରିଡ଼ାଙ୍କୁ ପରାସ୍ତ କରିଛନ୍ତି। ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି।

ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିକୁ ଆରମ୍ଭରୁ କଡ଼ା ଟକ୍କର ଦେଇଥିଲେ ବିଜେପି ନେତା ଓମ୍‌ପ୍ରକାଶ ମିଶ୍ର। ତେବେ ଭୋଟ୍‌ ଗଣତି ବଢ଼ିବା ସହ ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟଙ୍କ ଭୋଟ୍‌ ସଂଖ୍ୟା ବଢ଼ିଥିଲା। ଶେଷରେ ଉମାକାନ୍ତ ବିଜେପିର ଓମ୍‌ପ୍ରକାଶଙ୍କୁ ହରାଇ ବିଜୟୀ ହୋଇଥିଲେ।

ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ଲଗାତର ୫ ଥର ବିଜୟୀ ହୋଇଥିବା ବିଜେଡିର ହେଭିୱେଟ୍‌ ନେତା ମହେଶ୍ବର ମହାନ୍ତିଙ୍କୁ ହରାଇଛନ୍ତି ପୁରୀର ପୂର୍ବତନ ପୌରାଧ୍ୟକ୍ଷ ତଥା ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ।

Leave A Reply

Your email address will not be published.