Below header

କେତେବେଳେ ବି କୁଦ ଗାଁକୁ ବୁଡାଇ ଦେବ ମହାନଦୀ, ଗ୍ରାମବାସୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ମହାନଦୀରେ ବୃଦ୍ଧି ପାଉଛି ବନ୍ୟା ଜଳ । ଟାପୁ ଭଳି ଥିବା କୁଦ ଗାଁକୁ ଘେରି ରହିଛି ମହାନଦୀ । ସୁ ସୁ ହୋଇ ଗର୍ଜୁଛି ବନ୍ୟା ପାଣି । କେତେବେଳେ ବି ବୁଡ଼ାଇ ଦେବ ମହାନଦୀ । ତେଣୁ ସୁରକ୍ଷା ପାଇଁ ସେଠାକାର ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ ।

ଆଠମଲ୍ଲିକ(କେନ୍ୟୁଜ୍):  ମହାନଦୀ ପୂର୍ଣ୍ଣଗର୍ଭା ହୋଇ ଆଠମଲ୍ଲିକର ତଟବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଛିତି ସୃଷ୍ଟି କରିଛି। ଆଠମଲ୍ଲିକ ନିକଟରେ ମହାନଦୀ ଦୁଇ ଭାଗ ହୋଇ ପ୍ରାୟ ଦୁଇ କିମି ପରେ ପୁଣି ମିଳିତ ହୋଇଛି । ଆଉ ସେହି ମଝାମଝି ପ୍ରାୟ ୧୨ ଶହ ଏକର ଜମିରେ ଥିବା ଜନବସତି ହେଉଛି କୁଦ ଗାଁ । ଯେଉଁଠି ୬୫ଟି ପରିବାରର ୩୫୦ରୁ ଅଧିକ ଲୋକ ବସବାସ କରୁଛନ୍ତି ।

ଏବେ ମହାନଦୀରେ ବୃଦ୍ଧି ପାଉଛି ବନ୍ୟା ଜଳ । ଟାପୁ ଭଳି ଥିବା କୁଦ ଗାଁକୁ ଘେରି ରହିଛି ମହାନଦୀ । ସୁ ସୁ ହୋଇ ଗର୍ଜୁଛି ବନ୍ୟା ପାଣି । କେତେବେଳେ ବି ବୁଡ଼ାଇ ଦେବ ମହାନଦୀ । ତେଣୁ ସୁରକ୍ଷା ପାଇଁ ସେମାନଙ୍କୁ ସ୍ଥାନାନ୍ତର କରିଛି ପ୍ରଶାସନ ।  ନିଜ ଘର ଛାଡ଼ି ଆସବାବପତ୍ର ସବୁ ଛାଡ଼ି ଯିବାକୁ ଇଚ୍ଛା ନାହିଁ । ହେଲେ ପ୍ରଥମେ ଜୀବନ, ତାପରେ ଆଉ କିଛି । ତେଣୁ ବାଧ୍ୟ ହୋଇ ପିଲାଛୁଆ, ବୟସ୍କ ସମସ୍ତଙ୍କୁ ଆସିବାକୁ ହୋଇଛି ଗାଁକୁ ଛାଡ଼ି ।

ଏନଡିଆରଏଫ , ଓଡ୍ରାଫ୍‌, ଅଗ୍ନିଶମ ଓ ତହସିଲ୍‌ ପକ୍ଷରୁ ମୋଟ ୭ଟି ମୋଟର ବୋଟରେ ଏମାନଙ୍କୁ ଅଣାଯାଇଛି । ୬୨ ଜଣ ଯବାନ ସ୍ଥାନାନ୍ତର କାମରେ ଲାଗିଥିଲେ । ଗାଁରେ ଥିଲେ ୧୪୩ ଜଣ ମହିଳା, ଶିଶୁ ଓ ବୟସ୍କ ଲୋକ । ଯେଉଁମାନଙ୍କୁ ବୋଟ୍‌ ସାହାଯ୍ଯରେ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ପରେ ସେମାନଙ୍କୁ ନୂଆକୁଦ ଗାଁ ପଞ୍ଚାୟତ ଅଫିସ୍‌ରେ ରଖାଯାଇ ରନ୍ଧା ଖାଦ୍ୟ ଦିଆଯାଉଛି । ଚିକିତ୍ସା ବ୍ୟବସ୍ଥା ମଧ୍ୟ ହୋଇଛି । ଠିକଣା ସମୟରେ ଉଚିତ୍ ପଦକ୍ଷେପ ନେଇଛି ଅନୁଗୁଳ ଜିଲ୍ଲା ପ୍ରଶାସନ । ତେଣୁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ଗ୍ରାମବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.