ବିଧାନସଭାରେ CAG ରିପୋର୍ଟ ଉପସ୍ଥାପନ: ଦେଶୀ ମଦ ସହ IMFL ଓ ବିଅରରୁ ସ୍ୱଳ୍ପ ଉଠାଣ ଉପରେ  ଅବକାରୀ ଶୁଳ୍କ ଓ ଜୋରିମାନା ଆଦାୟ ହୋଇପାରିନାହିଁ

କେନ୍ୟୁଜ୍(ବ୍ୟୁରୋ):  ଅଧିକ ଲୁହାପଥର ଖନନ ସତ୍ତ୍ୱେ ଖଣି ଲିଜଧାରୀଙ୍କ ଠାରୁ ଆଦାୟ ହୋଇପାରିନି ୪୫୬ କୋଟି ଟଙ୍କା । ଖଣିଜ ଦ୍ରବ୍ୟ ରିଆତି-MCR ନିୟମାବଳୀ, ୧୯୬୦ର ନିୟମ ୨୨A ଅନୁଯାୟୀ ଅନୁମୋଦିତ ମାଇନିଂ ପ୍ଲାନ ଅନୁଯାୟୀ ଲିଜଧାରୀମାନେ ଖଣିଜ ଉତ୍ତୋଳନ କରିବା କଥା । ହେଲେ ଅନୁମୋଦିତ ମାଇନିଂ ପ୍ଲାନ ସହ ଉତ୍ତୋଳିତ ଲୁହାପଥର ପରିମାଣକୁ ତୁଳନା କଲେ ଏହା ୮ ଲକ୍ଷ ୨୧ ହଜାର ମେଟ୍ରିକ ଟନ ଅଧିକ । ଏ ବାବଦରେ ଲିଜଧାରୀମାନଙ୍କ ଠାରୁ ୪୫୬ କୋଟି ୪୬ ଲକ୍ଷ ଟଙ୍କା ଆଦାୟ ହୋଇପାରିନାହିଁ । ଖଣି ଯୁଗ୍ମ ନିର୍ଦ୍ଦେଶକ ଉକ୍ତ ଅଧିକ ପରିମାଣର ଲୁହାପଥର ଖନନ ଉପରେ କ୍ରୟ ମୂଲ୍ୟ ଆଦାୟ କରିନାହାନ୍ତି । ବିଧାନସଭାରେ ରାଜସ୍ୱ କ୍ଷେତ୍ର ପାଇଁ ଉପସ୍ଥାପିତ ସିଏଜି ରିପୋର୍ଟରେ ଏହା ଉଲ୍ଲେଖ ରହିଛି ।

cag2

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ-CAGଙ୍କ ରିପୋର୍ଟ ଉପସ୍ଥାପନ କରିଛନ୍ତି । ରାଜସ୍ୱ କ୍ଷେତ୍ର, ସାମାଜିକ ଓ ସାଧାରଣ କ୍ଷେତ୍ର ପାଇଁ CAG ରିପୋର୍ଟ ଉପସ୍ଥାପିତ ହୋଇଛି । ଦେଶୀ ମଦ, ଭାରତୀୟ ପ୍ରସ୍ତୁତ ବିଦେଶୀ ମଦ ଓ ବିଅର ସ୍ୱଳ୍ପ ଉଠାଣ ଉପରେ ୮ କୋଟି ୩୧ ଲକ୍ଷ ଟଙ୍କା ଅବକାରୀ ଶୁଳ୍କ ଓ ଜୋରିମାନା ଆଦାୟ ହୋଇପାରିନାହିଁ । ଜିଲ୍ଲା ଅବକାରୀ ଅଧିକାରୀଙ୍କ ଅଫିସ ଲାଇସେନ୍‌ସ ଧାରୀଙ୍କଠାରୁ ସର୍ବନିମ୍ନ ଗ୍ୟାରେଣ୍ଟି ପରିମାଣ ଦେଶୀ ମଦ, IMFL ଓ ବିଅର ଉଠାଣ ଏବଂ ପରିବହନ ପାଇଁ ଗ୍ୟାରେଣ୍ଟି ରଖିନଥିଲେ ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି । ସେହିପରି ମୋଟର ଯାନ ଓ ଅତିରିକ୍ତ କର ବାବଦରେ ୨୮ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇପାରିନାହିଁ । ଆଞ୍ଚଳିକ ପରିବହନ ଅଧିକାରୀମାନେ ପଞ୍ଜିକୃତ ୭ହଜାର ୬ଶହ ୩୪ଟି ଯାନ ମାଲିକଙ୍କଠାରୁ ୯କୋଟି ଟଙ୍କାର ମୋଟର ଯାନ କର ଓ ୧୯ କୋଟି ଟଙ୍କାର ଜରିମାନା ଆଦାୟରେ ବିଫଳ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.