Below header

ଫିସ୍ ଥିଲା ଅସଲି କିନ୍ତୁ ଡାକ୍ତର ବାହାରିଲେ ନକଲି

ଡାକ୍ତର ନକଲି କିନ୍ତୁ ଫିସ୍ ନେଉଥିଲେ ଅସଲି । ପୁଣି ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ । କ୍ୱାଲିଫିକେସନ ଯୁକ୍ତ ଦୁଇ ପାସ୍।

ଡାକ୍ତର ନକଲି କିନ୍ତୁ ଫିସ୍ ନେଉଥିଲେ ଅସଲି । ପୁଣି ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ । କ୍ୱାଲିଫିକେସନ ଯୁକ୍ତ ଦୁଇ ପାସ୍। ହେଲେ ନିଜକୁ ଦିଲ୍ଲୀ ଓ ଭୁବନେଶ୍ୱର ଏମ୍ସର ଅଭିଜ୍ଞ ଡାକ୍ତର କହି ରୋଗୀଙ୍କୁ କରୁଥିଲେ ଚିକିତ୍ସା। ବିଭିନ୍ନ ସ୍ଥାନରେ କ୍ଲିନିକ କରି ରୋଗୀଙ୍କୁ ଦେଖି ରୋଜଗାର କରୁଥିଲେ ମୋଟା ଅଙ୍କର ଟଙ୍କା। ହେଲେ ହଠାତ୍ ଖୋଲିଗଲା ତାଙ୍କର ମିଛ ପେଡ଼ି। ସେ ଦେଇଥିବା ମେଡିସିନ୍ ଖାଇ ଜଣେ ରୋଗୀ ଗୁରୁତର ହୋଇପଡ଼ିଥିଲେ। ପରେ ତାଙ୍କର ଅଭିଯୋଗ ଆଧାରରେ ଏହି ନକଲି ଡାକ୍ତରଙ୍କୁ ବାନ୍ଧିଥିଲା ପୋଲିସ।

ଗିରଫ ନକଲି ଡାକ୍ତରଙ୍କ ନାଁ ଶୁଭ୍ରଜିତ ପଣ୍ଡା। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ। ଅଭିଯୋଗ ଅନୁସାରେ, ନକଲି ଡାକ୍ତର ଶୁଭ୍ରଜିତ ନିଜକୁ ଜଣେ ଅଭିଜ୍ଞ ଡାକ୍ତର ଭାବେ ବୋର୍ଡ ମାରି ରୋଗୀଙ୍କୁ ଚିକିତ୍ସା କରୁଥିଲେ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ।ରେ ତାଙ୍କର ଏକ ଘରୋଇ କ୍ଲିନିକ ଥିବାବେଳେ କଟକ ରାଣୀହାଟରେ ମଧ୍ୟ ତାଙ୍କର ଏକ ଘରୋଇ କ୍ଲିନିକ ରହିଛି। ଶନିବାର ଦିନ ସେ ଡେଙ୍ଗାଉସ୍ତ।କୁ ରୋଗୀ ଦେଖିବାକୁ ଆସୁଥିବା ବେଳେ ଅନ୍ୟ ଦିନମାନଙ୍କରେ ରାଣୀହାଟରେ ଥିବା କ୍ଲିନିକରେ ରୋଗୀଙ୍କୁ ଦେଖୁଥିଲେ। ପ୍ରତି ରୋଗୀ ପିଛା ୩୦୦ ଟଙ୍କା ଫିସ୍ ନେଉଥିଲେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା। ପ୍ରତିଦିନ ତାଙ୍କ ପାଖରେ ରୋଗୀଙ୍କର ଭିଡ଼ ଜମୁଥିଲା। ହେଲେ ବେଶି ଦିନ ରହିଲାନି ଡାକ୍ତରଙ୍କ ନକଲି ରୋଗୀ ଦେଖା ନିଶା ।

କିଛି ଦିନ ତଳେ ଡେଙ୍ଗାଉସ୍ତ।ରେ ରହୁଥିବା ଜଣେ ବୃଦ୍ଧାଙ୍କୁ ଜ୍ୱର ହୋଇଥିଲା। ପରିବାର ଲୋକେ ବୃଦ୍ଧାଙ୍କୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ। ସେ ବୃଦ୍ଧାଙ୍କର ଚିକିତ୍ସା କରିଥିଲେ। ହେଲେ ବୃଦ୍ଧାଙ୍କ ଦେହ ଆଦୌ ଭଲ ହୋଇ ନଥିଲା। ବରଂ ଅଧିକ ଗୁରୁତର ହୋଇଥିଲା। ଏନେଇ ପରିବାର ଲୋକେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ। ପରେ ବୃଦ୍ଧାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଗଲା। ସେଠାରେ ବୃଦ୍ଧାଙ୍କର କିଡ୍ନୀ ଖରାପ ଥିବା ଜଣାପଡ଼ିଥିଲା। ହେଲେ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ଏନେଇ ବୃଦ୍ଧାଙ୍କ ପରିବାରକୁ କିଛି କହି ନଥିଲେ। ବରଂ ବାରମ୍ବାର ମେଡିସିନ୍ ଲେଖି ଚାଲିଥିଲେ। ଉପଯୁକ୍ତ ଚିକିତ୍ସା ନ କରିବାରୁ ବୃଦ୍ଧାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଏନେଇ ବୃଦ୍ଧାଙ୍କ ପରିବାର ଲୋକେ ବ୍ରହ୍ମପୁର ଏସପିଙ୍କ ନିକଟରେ ଶୁଭ୍ରଜିତ ପଣ୍ଡାଙ୍କ ନାଁରେ ଅଭିଯୋଗ କରିଥିଲେ। ବ୍ରହ୍ମପୁର ଏସପି ଏକ ଟିମ୍ ଗଠନ କରି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ।

ଖୋଳତାଡ ବେଳେ ଶୁଭ୍ରଜିତଙ୍କୁ ୨୦୨୦ ମସିହା ଫ୍ରେବୃଆରୀ ମାସରେ ତେଲେଙ୍ଗାନା ପୁଲିସ ଗିରଫ କରିଥିବା ଜଣାପଡ଼ିଥିଲା। ନିଜକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ ବୋଲି କହି ଡାକ୍ତର ସମ୍ମିଳନୀରେ ଯୋଗଦେଇଥିବାରୁ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା। ବ୍ରହ୍ମପୁର ଏସପି ଏହା ଜାଣିବା ପରେ ଅଧିକ ଖୋଳତାଡ଼ ଆରମ୍ଭ କରିଥିଲେ।

ତେବେ ଗତକାଲି ଶନିବାର ଶୁଭ୍ରଜିତଙ୍କ ଡେଙ୍ଗାଉସ୍ତ।ରେ ଥିବା କ୍ଲିନିକରେ ଛକିକି ରହିଥିଲା ପୋଲିସ। ଆଉ ଯେତେବେଳେ ଶୁଭ୍ରଜିତ କ୍ଲିନିକରେ ପହଞ୍ଚିଥିଲେ ସେତେବେଳେ ଘଟଣାସ୍ଥଳରୁ ହିଁ ଧରିନେଇଥିଲୋ ପୋଲିସ। ପୋଲିସର ଏକ ଟିମ୍ ତାଙ୍କର କ୍ଲିନିକରେ କାଗଜ ପତ୍ର ଯାଞ୍ଚ କରିଥିଲା। ପରେ ଶୁଭ୍ରଜିତଙ୍କୁ ନେଇ ପୋଲିସ ଟିମ୍ କଟକର ରାଣୀହାଟରେ ଥିବା କ୍ଲିନିକକୁ ଆସିଥିଲେ। ସେଠାରେ ମଧ୍ୟ ପୋଲିସ କାଗତପତ୍ର ଯାଞ୍ଚ କରିଥିଲା। ଶୁଭ୍ରଜିତ ଯୁକ୍ତ ଦୁଇ ପାସ କରିଥିବା ଜଣାପଡ଼ିଥିଲା।

ଏହାସହ କିଛି ବର୍ଷ ପୂର୍ବରୁ ଶୁଭ୍ରଜିତ ବିଭିନ୍ନ ଡାକ୍ତରଙ୍କ ପାଖରେ ରହି କାମ କରିଥିଲା। ପରେ ନିଜେ ଡାକ୍ତର ସାର୍ଟିଫିକେଟ ତିଆରି କରି ମେଡ଼ିସିନ ରିପ୍ରେଜେଣ୍ଟ ମାନଙ୍କୁ ଧରି ରୋଗୀଙ୍କ ଚିକିତ୍ସା କରୁଥିଲା ବୋଲି ଜଣାପଡ଼ିଥିଲା। ଦୁଇ ଦିନର ଖୋଳତାଡ଼ କରିବା ପରେ ଆଜି ଦିଗପହଣ୍ଡି ପୁଲିସ ନକଲି ଡାକ୍ତର ଶୁଭ୍ରଜିତ ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଛି। ଏହାସହ କଟକରେ ଥିବା ଭଡ଼ା ଘରେ ପୋଲିସ ଯାଞ୍ଚ କରିଥିବା ଜଣାପଡ଼ିଛି। ଡାକ୍ତର ବାବୁଙ୍କ ଚିକିଣିଆ ପ୍ୟାଣ୍ଟ ସାର୍ଟ, ଥାଟ ବାଟ, ଘର ଆଉ ଗାଡି ଦେଖି ବୁଝି ପାରୁଥିବେ କେତେ ବିଳାସ ବ୍ୟସନରେ ଦିନ କାଟୁଥିଲେ ଡାକ୍ତର ବାବୁ ।

ଗାଡିରେ ବି ଡକ୍ଟର ଲେଖାଯାଇଛି, ଆଉ କ୍ଲିନିକ ବାହାରେ ବି ଡାକ୍ତର ଏସ୍ ପଣ୍ଡା ଲେଖା ହୋଇଥିବା ବଡ ବଡ ପୋଷ୍ଟର । ବହୁତ ସୁନ୍ଦର ଭାବେ ପ୍ଲାନିଂ କରିଥିଲେ ଡାକ୍ତର ବାବୁ ଜଣଙ୍କ । ତେବେ ଯାହା ସୂଚନା ରହିଛି ନକଲି ଡାକ୍ତର ଜଣଙ୍କ ୨୪ ଦିନ ତଳେ ବିବାହ କରିଥିଲେ ।

ତେବେ ଆମେ ଗୋଟେ କଥା କହିବାକୁ ଚାହିଁବୁ ନିଶ୍ଚିତ ଯେ ଯେଉଁମାନେ ବି ଏପରି କ୍ଲିନିକ କରି ଡାକ୍ତର ଆଣି ରୋଗୀ ଦେଖା କାମ କରୁଛନ୍ତି ସେମାନେ ଉପଯୁକ୍ତ ଯାଞ୍ଚ୍ କରିବା ବହୁତ ଆବଶ୍ୟକ । ନହେଲେ ଅସଲି ମୁଖା ପିନ୍ଧିଥିବା ଏଭଳି ନକଲି ଡାକ୍ତରଙ୍କ ପାଇଁ ଅନେକଙ୍କ ମୂଲ୍ୟବାନ ଜୀବନ ଚାଲିଯାଇପାରେ । ତେଣୁ ଏଥିପ୍ରତି ଯଥାସମ୍ଭବ ସତର୍କ ରୁହନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.