ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ଦେଇଥିଲେ ମିଛ ଵିଜ୍ଞାପନ, ଠକାମିର ଶିକାର ହେଲେ ଚାକିରି ଆଶାୟୀ

ଏଟିଏମ ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ଭଳି ମିଥ୍ୟା ବିଜ୍ଞାପନ ଦେଇଥିଲେ ଠକ । ପରେ ଅନଲାଇନ୍‌ ମାଧ୍ୟମରେ ଲୋକଙ୍କୁ ଲୁଟିଥିବା ଅଭିଯୋଗ ହୋଇଛି ।

ମାତିଛନ୍ତି ଅନଲାଇନ୍‌ ଠକ । ସାଧାରଣ ଲୋକଙ୍କୁ ଠକିବା ପାଇଁ ଆପଣାଉଛନ୍ତି ନୂଆ ନୂଆ ଉପାୟ । ବର୍ତ୍ତମାନ ଯୁବପିଢ଼ୀଙ୍କୁ ଚାକିରି ମିଳୁନି । ତେଣୁ ଚାକିରି ଆଶାୟୀଙ୍କୁ ଠକମାନେ ଟାର୍ଗେଟ କରୁଛନ୍ତି । ଚାକିରି ଲୋଭରେ ଅନେକ ଯୁବପିଢ଼ି ଅଛନ୍ତି ଯେଉଁମାନେ ଠକମାନଙ୍କ ଠକାମିର ଶିକାର ହେଉଛନ୍ତି । ଚାକିରି ପାଉନଥିବାରୁ ଅଜଣା ଲୋକଙ୍କ ଉପରେ ବିଶ୍ୱାସ କରି ଚାକିରି ଆଶାୟୀମାନେ ଠକଙ୍କୁ ଟଙ୍କା ଦେଉଛନ୍ତି । ଆଉ ଥରେ ଟଙ୍କା ପାଇଲା ପରେ ଛୁ ମାରୁଛନ୍ତି ଠକ । ଯେତେ କଲ୍‌ କଲେ ବି ଫୋନ ଉଠାଉ ନାହାନ୍ତି । ତେବେ ନିକଟରେ ଏମିତି କିଛି ଘଟଣା କୋରାପୁଟରୁ ସାମ୍ନାକୁ ଆସିଛି । ଏଟିଏମ ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ଭଳି ମିଥ୍ୟା ବିଜ୍ଞାପନ ଦେଇଥିଲେ ଠକ । ପରେ ଅନଲାଇନ୍‌ ମାଧ୍ୟମରେ ଲୋକଙ୍କୁ ଲୁଟିଥିବା ଅଭିଯୋଗ ହୋଇଛି । କିନ୍ତୁ ଚୋର ଘର କେତେ ଦିନ ବା ଅନ୍ଧାର ରହିବ । ଦିନେ ନା ଦିନେ ତ ଚୋର ଧରା ପଡ଼ିବ ନା । ସମାନ ଭାବେ ଠକ ଗ୍ୟାଙ୍ଗର ଜଣେ ଠକକୁ ପୋଲିସ ଗିରଫ କରିଛି।

୨ ଲକ୍ଷ ଟଙ୍କା ଓ ୩ଟି ମୋବାଇଲ ଜବତ କରିଛି କୋରାପୁଟ ସାଇବର ପୋଲିସ l ପଶ୍ଚିମବଙ୍ଗର ମଳୟ ମୈତ୍ରୀ ନାମକ ଯୁବକ ଏଟିଏମ କାଉଣ୍ଟର ବସାଇବା ପାଇଁ ପ୍ରାର୍ଥୀ ଆବଶ୍ୟକ ବୋଲି ଏକ ମିଥ୍ୟା ବିଜ୍ଞାପନ ଦେଇଥିଲା l ଏଭଳି ବିଜ୍ଞାପନ ଦେଖିବା ପରେ କିଛି ବ୍ୟକ୍ତି ଉକ୍ତ ଯୁବକକୁ ଫୋନ କରିଥିଲେ l ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ସ୍ଥାନ ଓ ଲୋକଙ୍କୁ ଚି଼ହ୍ନଟ କରିବା ପାଇଁ ସେ କହିଥିଲା l ଏଟିଏମ୍‌ କାଉଣ୍ଟର ବସାଇବା ପାଇଁ ମାଲିକାନା ଅର୍ଥ ବାବଦେ ପ୍ରାର୍ଥୀମାନଙ୍କୁ ଟଙ୍କା ଦେବାକୁ ଉକ୍ତ ଠକ କହୁଥିଲା l ଅନେକ ପ୍ରାର୍ଥୀଙ୍କ ଠାରୁ ସେ ଅନଲାଇନ୍‌ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଇଛି l ଟଙ୍କା ନେବା ପରେ ଆଉ ଧରା ଦେଉନଥିଲା l ଏଭଳି ଘଟଣା ପରେ କୋରାପୁଟ ବୋରିଗୁମ୍ମା ଅଞ୍ଚଳର ମାନସୀ ମିଶ୍ର ଠକାମିର ଶିକାର ହେବା କଥା ଜାଣିବା ପରେ ସେ କୋରାପୁଟ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ l

ଅଭିଯୋଗକୁ ଭିତ୍ତି କରି କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ସାଇବର ଥାନାର ଏକ ଟିମ୍‌ ଉକ୍ତ ଯୁବକର ମୋବାଇଲ୍‌ ଟ୍ରାକ କରି ପଶ୍ଚିମବଙ୍ଗରୁ ଠକକୁ ଧରିଥିଲେ l ଉକ୍ତ ଠକ ଠାରୁ ୨ ଲକ୍ଷ ଟଙ୍କା ଓ ୩ ଟି ମୋବାଇଲ ଜବତ ହୋଇଛି l ଏଥିରେ ସମ୍ପୃକ୍ତଥିବା ଅନ୍ୟ ଠକଙ୍କୁ ଏବେ ପୋଲିସ ଖୋଜୁଛି l ଠକେଇ ଗ୍ୟାଙ୍ଗର ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପାର୍ଥ ଜଗଦିଶ ସୂଚନା ଦେଇଛନ୍ତି l

ଠକମାନେ ଠକିବାର ନୂଆ ନୂଆ ଉପାୟକୁ ଆପଣାଉଛନ୍ତି । ଏଭଳି ଘଟଣା ଦେଖିବା ପରେ ଆପଣମାନେ ନିଜେ ସତର୍କ ରୁହନ୍ତୁ । ଚାକିରି ଲୋଭରେ ଅଜଣା ଲୋକଙ୍କ ଉପରେ ବିଶ୍ୱାସ କରିବା କେତେ ଯେ ବିପଜ୍ଜନକ, ତାହା ଏଭଳି ଘଟଣାରୁ ପ୍ରକାଶ ପାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.