ବିବାହର ୩ମାସ ପରେ ନବ ବଧୂର ମୃତ୍ୟୁ, ଯୌତୁକ ପାଇଁ  ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ବାପ ଘର ଲୋକେ

ଯାଜପୁର(କେନ୍ୟୁଜ୍): ଯୌତୁକ ଜୁଇରେ ଆଉ ଜଣେ ନବ ବଧୂ। ବିବାହର ମାତ୍ର ତିନି ମାସ ପରେ ନବ ବଧୂର ମୃତ୍ୟୁ। ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର। ଶାଶୁ ଘର ଲୋକେ ବୋହୂ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ବାପ ଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ। ସୂଚନା ମୁତାବକ ଗତ ଜୁଲାଇ ମାସରେ ଅର୍ଥାତ ୩ମାସ ତଳେ ପଟୁଣିଆ ଗ୍ରାମର ଜଗବନ୍ଧୁ ସାହୁଙ୍କ ଝିଅ କବିତା ସହ ମିର୍ଜାପୁର ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପୁଅ ପ୍ରଭାକରଙ୍କ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା।

ତେବେ ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକେ କବିତାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ତେବେ ଗତକାଲି ରାତିରେ ଶାଶୁ ଓ ବୋହୂ ମଧ୍ୟରେ ଝଗଡା ହୋଇଥିଲା ବେଳେ ବିଳମ୍ବିତ ରାତିରେ କବିତା ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକେ ଫୋନ ଯୋଗେ ବାପ ଘର ଲୋକଙ୍କୁ ଜଣାଇଥିଲେ। ଏପଟେ କବିତାକୁ ଶାଶୁ ଘର ଲୋକେ ଧର୍ମଶାଳା ଡାକ୍ତରଖାନାକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ସକାଳୁ ମୃତ କବିତାଙ୍କ ପରିବାର ଲୋକେ ଧର୍ମଶାଳା ଡାକ୍ତରଖାନାରେ ପହଞ୍ଚି ଘଟଣାକୁ ନେଇ ସନ୍ଦେହ ପ୍ରକଟ କରିଥିଲେ। ଏନେଇ ମୃତ କବିତାଙ୍କ ବାପା ଧର୍ମଶାଳା ଥାନାରେ ଯୌତୁକ ପାଇଁ ତାଙ୍କ ଝିଅକୁ ଶାଶୁ ଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇଁ ଧର୍ମଶାଳା ପୋଲିସ ମୃତଦେହକୁ ଵ୍ୟଵଛେଦ ପାଇଁ ବଡ଼ଚଣା ମେଡିକାଲ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସୂଚନା ଯୋଗ୍ୟ ଯେ, ମୃତ କବିତାଙ୍କ ସ୍ୱାମୀ ପ୍ରଭାକର ବେଙ୍ଗାଲୁରୁ ସ୍ଥିତ ଏକ କମ୍ପାନୀରେ ଚାକିରି କରନ୍ତି। ଗତ ଜୁଲାଇ ୭ତାରିଖରେ ଉଭୟଙ୍କ ବିବାହ ହୋଇଥିବା ବେଳେ ଅଗଷ୍ଟ ୧ ତାରିଖରେ ପ୍ରଭାକର ବେଙ୍ଗାଲୁରୁ ଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.