ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ହେଲା ନଷ୍ଟ, ଋଣ ଭାର ସହି ନପାରି ଜୀବନ ହାରିଲେ ଚାଷୀ

ଯାଜପୁର ଟାଉନ(କେନ୍ୟୁଜ୍):  ଋଣ ଭାର ସହି ନ ପାରି ଜୀବନ ହାରିଲେ ଚାଷୀ। ଯାଜପୁର ବିଂଝାରପୁର ବ୍ଲକ ଜରୀ ନାଉବାଙ୍କ ଗାଁର ଭାଗଚାଷୀ ନବଘନ ଧଳ ଧାର କରଜ ସୁଝି ନ ପାରି ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଦିନିଆ ବର୍ଷା ଯୋଗୁଁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଧାର କରଜ ସୁଝିବା ଚିନ୍ତା ଯୋଗୁଁ ତାଙ୍କର ଜୀବନ ଯାଇଛି। ଚାଷ କରିବା ପାଇଁ ବିଭିନ୍ନ ଲୋକଙ୍କ ଠାରୁ ଧାର ଉଧାର କରିବା ସହ ସମବାୟ ସମିତି ଠାରୁ ଋଣ ନେଇଥିଲେ। କିନ୍ତୁ ଚାଷ ନଷ୍ଟ ହୋଇଯିବା କାରଣରୁ ଆଉ ଋଣ ସୁଝିବା ପାଇଁ ସବୁ ରାସ୍ତା ବନ୍ଦ ହୋଇଯାଇଥିବା ଚିନ୍ତା କରି ନବଘନ ବିଷ  ପିଇଦେଇଥିଲେ।

ତାଙ୍କୁ ପ୍ରଥମେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା। ପରେ ଯାଜପୁର ଜିଲ୍ଲା ଚିକିତ୍ସାଳୟ ଏବଂ ଶେଷରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ନବଘନ ଧାର କରଜ ପାଇଁ ଆତ୍ମହତ୍ୟା କରିଥିବାରୁ ତାଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ସେପଟେ ଏ ସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି ବି କହିବାକୁ ମନା କରି ଦେଇଛନ୍ତି ପ୍ରଶାସନିକ ଅଧିକାରୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.