ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ଉପରେ କଟକଣା ପ୍ରସଙ୍ଗ:ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ମତ୍ସ ବିଭାଗକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):  ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦୃଷ୍ଟିରୁ ଚିଲିକା ମଙ୍ଗଳାଯୋଡିରେ ମୋଟର ବୋଟ ଚଳାଚଳ ଉପରେ କଟକଣା ପ୍ରସଙ୍ଗ । ହାଇକୋର୍ଟରେ ଦାୟର ମାମଲାରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ମତ୍ସ ବିଭାଗ ନିର୍ଦ୍ଦେଶକଙ୍କୁ ଅତିରିକ୍ତ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ନିର୍ଭରଶୀଳ ମତ୍ସଜୀବୀଙ୍କର ଅନ୍ୟ କୌଣସି ବେଉସା ନଥିବା ବେଳେ ସେମାନଙ୍କର ମୋଟର ବୋଟ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ୩ ମାସ ସମୟ ଦେବାକୁ ଦାଖଲ ହୋଇଥିବା ସତ୍ୟପାଠରେ ଅନୁରୋଧ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଏହି ସତ୍ୟପାଠ ଦାଖଲ କରିଛନ୍ତି। ହାଇକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ମାର୍ଚ୍ଚ ୬ ତାରିଖରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକର ବିବରଣୀ ରାଜ୍ୟ ସରକାରଙ୍କ ତରଫରୁ ଅଦାଲତରେ ଦାଖଲ କରାଯାଇଥିଲା।

ଏହାସହ ମାମଲାର ଶୁଣାଣି ସମୟରେ ପୂର୍ବରୁ ଚିଲିକା ଡିଏଫଓ ହାଜର ହୋଇ ଦର୍ଶାଇଥିଲେ ଯେ, ଓଡିଶା ମେରାଇନ ଫିସିଙ୍ଗ ରେଗୁଲେସନ ଆକ୍ଟ ୧୯୮୧ର ସଂଶୋଧନ ତଥା ଦୃଢୀକରଣ କରାଯାଇ ମୋଟର ବୋଟକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇପାରିବ। ରାଜ୍ୟସରକାରଙ୍କ ଆଇନ ବିଭାଗ ଏହି ପ୍ରସଂଗରେ ପଦକ୍ଷେପ ନେଇପାରିବ । ମଙ୍ଗଳାଯୋଡି ଅଭୟାରଶ୍ୟ ହୋଇ ନଥିବାରୁ ମୋଟର ବୋଟ ଚଳାଚଳ ନିଷେଧ କରାଯିବାରେ ସମସ୍ୟା ଦେଖାଦେଇଛି ବୋଲି ସରକାରଙ୍କ ତରଫରୁ ପୂର୍ବରୁ ଦର୍ଶାଯାଇଥିଲା। ବମ୍ବେ ନାଚୁରାଲ ହିଷ୍ଟ୍ରି ସୋସାଇଟିର ବିଶେଷଜ୍ଞ ମଧ୍ୟ ପୂର୍ବରୁ ଭର୍ଚୁଆଲ ମୋଡରେ ଉପସ୍ଥିତ ରହି ହାଇକୋର୍ଟରେ ନିଜ ମତ ରଖିଥିଲେୂ । ଏହା ସହିତ ମାମଲାରେ ପକ୍ଷଭୁକ୍ତ ହୋଇଥିବା ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ତରଫରୁ ମଧ୍ୟ କେତେକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା।। ଏହି ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ପୂର୍ବରୁ ଆଉ ଏକ ସତ୍ୟପାଠ ଦାଖଲ ପାଇଁ ରାଜ୍ୟସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବ । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.