ଜଳେଶ୍ବର : ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ ୭ଜଣ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଭିଜୁଆଲ୍

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ମଥାନୀ ଛକ ନିକଟରେ ଥିବା ଲକ୍ଷ୍ମୀ ନାରାୟଣ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ ରାତିରେ ୭ଜଣ ଦୁର୍ବୃତ୍ତ ଏକ କାରରେ ଆସି ପେଟ୍ରୋଲ ପମ୍ପର କର୍ମଚାରୀମାନଙ୍କୁ ଅଫିସର ତାଲା ଖୋଲିବାକୁ କହିଥିଲେ। ମାତ୍ର ଅଫିସର ଚାବି ସେମାନଙ୍କ ପାଖରେ ନଥିବାରୁ ସେମାନେ ଖୋଲି ପାରିବେ ନାହିଁ ବୋଲି ମନା କରିଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ଯୁବକମାନେ ପେଟ୍ରୋଲ ପମ୍ପରେ କାର୍ଯ୍ଯରତ ଜଣେ କର୍ମଚାରୀଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ। ନିର୍ଦ୍ଧୁମ ପିଟିବା ପରେ ଯୁବକମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ଦୁର୍ବୃତ୍ତମାନେ ମାଡ ମାରୁଥିବାର ଦୃଶ୍ଯ ପେଟ୍ରୋଲ ପମ୍ପରେ ଥିବା ସିସିଟିଭି କ୍ଯାମେରାରେ କଏଦ ହୋଇଛି। ଏନେଇ ଦୁର୍ବୃତ୍ତମାନଙ୍କୁ ଗିରଫ ଦାବି କରି ପେଟ୍ରୋଲ ପମ୍ପ ପକ୍ଷରୁ ବସ୍ତା ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଆଧାରରେ ପୋଲିସ ସିସିଟିଭି ଫୁଟେଜ୍ କୁ ଯାଞ୍ଚ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.