କେନ୍ଦୁଝର : ଚମ୍ପୁଆରେ ଗାଡି ଚେକିଂ ବେଳେ ପୋଲିସ ଜନତା ହାତାହାତି

କେନ୍ଦୁଝର (କେନ୍ୟୁଜ୍‌) : ପୋଲିସ୍‌ର ମାସ୍କ ଚେକିଂ ବେଳେ ଉତ୍ତେଜନା । ପୋଲିସ୍‌ ଏବଂ ଜନତା ମଧ୍ୟରେ ହାତାହାତି । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରେ । କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ଯରେ ବିଭିନ୍ନ କଟକଣା ଜାରି କରାଯାଇଛି । ଅମାନିଆଙ୍କୁ ସାବାଡ଼ କରିବା ପାଇଁ ବିଭିନ୍ନ ସ୍ଥାନରେ ଚେକିଂ, ବ୍ଲକିଂ କରାଯାଇ କାର୍ଯ୍ଯାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ମାସ୍କ ଚେକିଂକୁ ଜୋରଦାର କରାଯାଇ ନିୟମ ଖିଲାପକାରୀଙ୍କ ଠାରୁ ଫାଇନ୍ ମଧ୍ୟ ଆଦାୟ ହେଉଛି । ତେବେ ଆଜି କେନ୍ଦୁଝର ଜିଲ୍ଲା, ଚମ୍ପୁଆ ବଜାରରେ ପୋଲିସ୍ ପକ୍ଷରୁ ମାସ୍କ ଚେକିଂ ବେଳେ ଲୋକେ ତାତି ଉଠିଲେ । ଫଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଚମ୍ପୁଆ ଥାନା ଆଇଆଇସି ଓ ଜଣେ ଏଏସଆଇଙ୍କୁ ଲୋକେ ଟଣାଓଟରା କରିବା ସହ ଠେଲାପେଲା କରିଥିଲେ ।

ସୂଚନା ଅନୁଯାୟୀ, ଏଏସଆଇ ରାମଚନ୍ଦ୍ର ମହାନ୍ତ ଅନ୍ଯ କର୍ମଚାରୀଙ୍କ ସହ ଚମ୍ପୁଆ ବଜାର ମୁଖ୍ଯ ଛକରେ ମାସ୍କ ଚେକିଂ କରୁଥିବା ସମୟରେ ଗଣ୍ଡଗୋଳ ହୋଇଥିଲା । ପରେ ପରେ ସେଠାରେ ଭିଡ଼ ଜମା ହୋଇଗଲା । ପୋଲିସ ମାତ୍ରାଧିକ କାର୍ଯ୍ଯାନୁଷ୍ଠାନ ନେଉଥିବା ଅଭିଯୋଗ କରି ଲୋକେ ତାତି ଉଠିଲେ । ଫଳରେ ପୋଲିସ୍ ସହ ମୁହାଁମୁହିଁ ହୋଇଥିଲେ । ଏଏସଆଇ ରାମଚନ୍ଦ୍ର ମହାନ୍ତଙ୍କୁ ଉତ୍ତ୍ଯକ୍ତ ଲୋକେ ଟଣାଓଟରା କରି ଠେଲି ଦେଇ ତଳେ ପକାଇ ଦେଇଥିଲେ ।

KJR-2

ଖବର ପାଇ ଚମ୍ପୁଆ ଆଇଆଇସି ଗଗନ ନାଏକ ସାଦା ପୋଷାକରେ ହିଁ ଘଟଣା ସ୍ଥଳରେ ପହଞ୍ଚିଥିଲେ । ତେବେ ସେ ମଧ୍ୟ ଭିଡ଼ର ଆକ୍ରୋଶରୁ ବର୍ତ୍ତି ପାରିନଥିଲେ । ତାଙ୍କୁ ମଧ୍ୟ ଉତ୍ତ୍ୟକ୍ତ ଲୋକେ ଟଣାଓଟରା ଓ ଠେଲାପେଲା କରିଥିଲେ । ଏନେଇ ଚମ୍ପୁଆ ଏସଡିପିଓ ରାମରାୟ ମୁର୍ମୁ ସୂଚନା ପାଇବା କ୍ଷଣି ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଅନେକ ସମୟ ଧରି ବୁଝାଶୁଝା କରିବା ପରେ ଯାଇ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.