ଲାଞ୍ଚୁଆ ସରପଞ୍ଚଙ୍କ ନାଁରେ ଥାନାରେ ଏତଲା

ମୋହନା (କେ ନ୍ୟୁଜ୍‌) : ତିତଲି କ୍ଷତିଗ୍ରସ୍ତଙ୍କୁ ଘରଭଙ୍ଗା ସହାୟତା କରାଇ ଦେବା ପାଇଁ ଲାଞ୍ଚ ନେଇ ଧରାପଡ଼ି ଥିବା ସରପଞ୍ଚଙ୍କ ନାଁରେ ଥାନାରେ ଏତଲା । ଗତକାଲି ଏକ ଅଭିଯୋଗ ପାଇବା ପରେ ସରପଞ୍ଚଙ୍କୁ ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଧରିଥିଲେ । ଗଜପତି ଜିଲ୍ଲା ମୋହନା ବ୍ଲକ ମାଣ୍ଡିମେରା ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ମାଝୀ ସେହି ପଞ୍ଚାୟତର ବାଲିପଦର ପଡ଼ା ବାସିନ୍ଦା କ୍ରିଷାନ୍ତ ଲିମାଙ୍କୁ ଘରଭଙ୍‌ଗା ସହାୟତା ପ୍ରଦାନ ନେଇ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ୨୦ ହଜାର ଟଙ୍କା ତହସିଲଦାରଙ୍କୁ ଦିଆଯିବ ବୋଲି ସେ ଲିମାଙ୍କୁ କହିଥିଲେ । ଏନେଇ କ୍ରିଷାନ୍ତ ଲିମା ଅଭିଯୋଗ କରିବା ପରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ସଂପୃକ୍ତ ସରପଞ୍ଚଙ୍କୁ ତାଗିଦ କରିଥିଲେ ।
ଘଟଣା ବିଷୟରେ ସଂପୃକ୍ତ ସରପଞ୍ଚ ପ୍ରଶାନ୍ତ ମାଝୀଙ୍କୁ ପଚରା ଉଚରା କରିବା ସମୟରେ ସେ ନିଜ ଦୋଷ ସ୍ବୀକାର କରିଥିଲେ। ସରପଞ୍ଚ ଲିମାଙ୍କ ସମେତ ଅନ୍ୟ ଲୋକଙ୍କ ନିକଟରୁ ଟଙ୍କା ନେଇଥିବା ମଧ୍ୟ ମାନିଥିଲେ । ସେ ତହସିଲଦାରଙ୍କ ପ୍ରଶ୍ନର ଉତ୍ତର ଦେଇ ଦୋଷ ସ୍ୱୀକାର କରିଥିବାର ଭିଡିଓ କେ ନ୍ୟୁଜ୍‌ ପ୍ରଥମେ ପ୍ରସାରଣ କରିଥିଲା । ସରପଞ୍ଚଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସେ ସୁପାରିସ କରିବା ସହିତ ଲୋକଙ୍କୁ ମଧ୍ୟ ସଚେତନ ରହିବାକୁ ନିବେଦନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.