ପାଞ୍ଚ ବର୍ଷ ବୟସରେ ହୁଲା-ହୁପ୍ ଚକ୍ରିରେ କୌଶଳ ଦେଖାଉଛନ୍ତି ଜୟ, ଭାଇରାଲ୍ ହେଉଛି ଭିଡିଓ
କଟକ(କେନ୍ୟୁଜ୍): ଖେଳ କୁଦ ବୟସରେ କିଛି ଭିନ୍ନ କରିବାର ଆଶା। ବୟସ ମାତ୍ର ପାଞ୍ଚ ବର୍ଷ, ଏତେ କମ୍ ବୟସରେ ନିଜ ଅଣ୍ଟା ପାଖରେ ଚକ୍ରି ରଖି ଗୋଟିଏ ମିନିଟରେ ବୁଲାଉଛନ୍ତି ୧୦୦ ରୁ ଊର୍ଦ୍ଧ୍ବ ଥର। କେତେବେଳେ ବସିକି ତ କେତେବେଳେ ଛିଡା ହୋଇ ପୁଣି ଆଉ କେତେବେଳେ ନାଚି ନାଚି। ତେବେ ଏହି ହୁଲା – ହୁପ୍ ହେଉଛି ଫିଟନେସ୍ ପାଇଁ ବ୍ଯବହାର ହେଉଥିବା ଏକ ଚକ୍ରି । ଏହାକୁ ଅଣ୍ଟାରେ ଘୂରେଇ ଅନେକ ଜଣ ପୂର୍ବରୁ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ତେବେ କଟକ ମଙ୍ଗଳାବାଗ ସ୍ଥିତ ମାଛୁଆ ବଜାର ଅଞ୍ଚଳର ଜଣେ ୫ ବର୍ଷର ଶିଶୁ ଏହି ଉପକରଣ ଦ୍ଵାରା କଳା କୌଶଳ ଦେଖାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ।
ବିଭିନ୍ନ ପ୍ରକାରର କୌଶଳରେ ନିଜ ଅଣ୍ଟାରେ ଚକ୍ରି ବୁଲାଇ ଦେଖାଇ ପାରୁଥିବାବେଳର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କୁନି ପିଲାର ଏଭଳି ରଙ୍ଗ ଢଙ୍ଗରେ ଚକ୍ରି ବୁଲାଇବା ଦେଖି ସମସ୍ତେ ଆଶ୍ଚର୍ଯ୍ଯ ହୋଇଥିଲେ। କଟକ ମଙ୍ଗଳାବାଗ ଅଞ୍ଚଳ ର ସୁନତ କୁମାର ସାହୁ ଏବଂ ଶିବାନୀ ସାହୁଙ୍କ ପୁଅ ଜୟ ନାରାୟଣ ସାହୁ । ସେ ଏବେ ପ୍ଲେ ସ୍କୁଲ ରେ ପଢୁଛନ୍ତି। କୁନି ପିଲା ଜୟଙ୍କ ଖେଳିବା ପାଇଁ ପରିବାର ଲୋକେ ଅନେକ ପ୍ରକାର ଖେଳଣା ଘରକୁ ଆଣନ୍ତି । ପ୍ଲେ ସ୍କୁଲରେ ପଢ଼ୁଥିବା ଜୟ ଖେଳଣାକୁ ଧରି ଘରେ ଖେଳନ୍ତି। ହେଲେ ୪ ମାସ ପୂର୍ବେ ପରିବାର ଲୋକେ ହୁଲା ହୁପ୍ ଆଣିଥିଲେ। ହେଲେ ଜାଣି ନ ଥିଲେ ଏହି ଉପକରଣକୁ ଧରି ସେ ଏଭଳି କୌଶଳ ଦେଖାଇପାରିବେ ବୋଲି । କେହି ପ୍ରଶିକ୍ଷଣ ଦେଇ ନ ଥିଲେ ସୁଦ୍ଧା ଜୟ ଏବେ ଏଥିରେ ସିଦ୍ଧହସ୍ତ ହୋଇ ସାରିଛନ୍ତି । ନିଜର ଅଣ୍ଟାରେ ବିଭିନ୍ନ ଷ୍ଟାଇଲ ରେ ଚକ୍ରି ବୁଲାଉଥିବାର ଭିଡିଓ ପରିବାର ଲୋକେ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପ୍ଲୋଡ କରିଥିଲେ । ଉକ୍ତ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଥିବାବେଳେ ବିଭିନ୍ନ ବର୍ଗରୁ ପ୍ରଶଂସାର ସୁଅ ମଧ୍ୟ ଛୁଟୁଛି ।।ଆଗାମୀ ଦିନରେ ଆହୁରି କିପରି ଭଲ କରିବ ସେଥିପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି ପରିବାର ଲୋକ।।
ବିନା ପ୍ରଶିକ୍ଷଣ ରେ ହୁଲା ହୁପରେ ଦେଖାଉଛନ୍ତି କୌଶଳ । ୟୁଟ୍ଯୁବରୁ ଦେଖି ନିଜେ ନିଜେ ଚକ୍ରିକୁ ଅଣ୍ଟା ପାଖରେ ରଖି ବୁଲାଇଥିଲେ। କେତେବେଳେ ଗୋଟିଏ ଚକ୍ରି ତ ଆଉ କେତେ ବେଳେ ଦୁଇଟି ଚକ୍ରି ଏକା ସାଙ୍ଗରେ ବୁଲାଉଛନ୍ତି ଜୟ। କେତେବେଳେ ଚାଲିବା ବେଳେ , କେତେ ବେଳେ ବସିବା ସମୟରେ ପୁଣି କେତେ ବେଳେ ନାଚି ନାଚି ଭିନ୍ନ ଭିନ୍ନ କୌଶଳ ଚକ୍ରି ବୁଲାଇ ଦେଖାଇ ପାରୁଛନ୍ତି ଜୟ । ପରିବାର ଲୋକ ବି ତାଳି ମାରି ବେଶ ଉତ୍ସାହିତ କରିଥାନ୍ତି ତାଙ୍କୁ ।
ଏହା ପାଇଁ ଏବେ ପ୍ରଶିକ୍ଷଣ ନେବେ ଜୟ। ବଡ଼ ହୋଇ ଆହୁରି ଭଲ ପ୍ରଦର୍ଶନ କରି ରାଜ୍ଯ ଓ ଦେଶ ପାଇଁ ଗୌରବ ଆଣିବା ପାଇଁ ଚେଷ୍ଟା କରିବେ ବୋଲି ପରିବାର ଲୋକ ଲକ୍ଷ ରଖିଛନ୍ତି। ତେବେ ଜୟ କୁନି ବୟସରେ ଆଉ ପୁଣି ନିଜ କୁନି ଅଣ୍ଟାରେ ଏଭଳି କରିସ୍ମା ଦେଖାଇ ସତରେ ସମସ୍ତଙ୍କୁ କରିଦେଇଛନ୍ତି ବିସ୍ମିତ ।