ଶିମିଳିପାଳ : ବରେଇପାଣିରେ ଲାଗିଥିବା ନିଆଁ ଲିଭା ସରିଛି, ବନ ବିଭାଗ ସଜାଗ

କରଞ୍ଜିଆ (କେନ୍ୟୁଜ୍‌) : ରାଜ୍ୟରେ ଏବେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିବା ସୂଚନା । ଅର୍ଥାତ୍‌ ଅକ୍ସିଜେନ ଉପରେ ଆକ୍ରମଣ । କାରଣ ଜଙ୍ଗଲ ଜଳିଲେ ଗଛଲତା ପୋଡ଼ିବ ଆଉ ବୃକ୍ଷ ସବୁ ଦେଉଥିବା ଅମ୍ଳଯାନ ଆଉ ମିଳିବନି । ତା ସହିତ ପରିବେଶ ନଷ୍ଟ ହେବ । ୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ହେଉଛି ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ । ୨୨୦୦ ବର୍ଗ କି:ମି ଅଞ୍ଚଳରେ ଇକୋଟୁରିଜିମ ବ୍ୟବସ୍ଥା କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରେ ୫୫ ପ୍ରଜାତିର ପଶୁ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରଜାତିର ସରୀସୃପ, ୩୭ ପ୍ରକାର ମାଛ ଏବଂ ୧୦୭୬ ପ୍ରକାରର ଗଛ ଦେଖିବାକୁ ମିଳେ । ଶିମିଳିପାଳରେ ରହିଛି ହସ୍ତୀ ଏବଂ ବ୍ୟାଘ୍ର ପ୍ରକଳ୍ପ ।

ଏହି ଅଭୟାରଣ୍ୟରରେ ୧୭ଟି ରେଞ୍ଜ ରହିଛି । ସୂଚନା ଅନୁସାରେ ଗତକାଲି ବରେଇ ପାଣି ରେଞ୍ଜ ଅନ୍ତର୍ଗତ ଜାମୁଆଣି ଅଞ୍ଚଳରେ ନିଆଁ ଲାଗିଥିଲା । ତେବେ ବନ ବିଭାଗ ନିଆଁ ଲିଭାଇବାରେ ସଫଳ ହେଇଛି । ଏପଟେ ଶିମିଳିପାଳରେ ନିଆଁ ଲିଭାଇବା ପାଇଁ ୨୦୯ଟି ଟିମ ଗଠନ କରାଯାଇଛି । ଏ ନେଇ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯିବା ସହିତ ବିଭିନ୍ନ ଗାଁରେ ବନ ବିଭାଗ ସଚେତନତା ଅଭିଯାନ ଆରମ୍ଭ କରିଥିବା ଶିମିଳିପାଳ ଏସିଏଫ୍‌ ନିକେଶ ମହାପାତ୍ର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.