ଝିଅର ନିର୍ବାଚନୀ ଖର୍ଚ୍ଚ ପାଇଁ ଘରଡିହ ବିକିଦେଲେ ପୂର୍ବତନ ବିଧାୟକ
ଆଜିକାଲି ସେଇମାନେ ନିର୍ବାଚନ ଲଢୁଛନ୍ତି ଯେଉଁମାନଙ୍କ ପାଖରେ ପ୍ରଚୁର ଅର୍ଥ ଅଛି । ତେବେ ଏମିତି ଧାରଣାକୁ ଭୂଲ୍ ପ୍ରମାଣିତ କରି ନିଜର ପୈତୃକ ଘରଡିହରୁ ଗୋଟିଏ ଅଂଶ ବିକ୍ରି କରି ନିଜର ଡାକ୍ତର ଝିଅକୁ ନିର୍ବାଚନ ଲଢାଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା।

ଆଳି (କେନ୍ୟୁଜ) : ଝିଅ ଲଢ଼ୁଛି ନିର୍ବାଚନ । ସେଥିପାଇଁ ବାପା ବିକ୍ରି କରିଦେଲେ ନିଜର ପୈତୃକ ଘରଡିହ । ହଁ ଆଜ୍ଞା ଏମିତି ଜଣେ ବାପା ଯିଏକି ଝିଅର ନର୍ବାଚନ ଖର୍ଚ୍ଚ ମେଣ୍ଟାଇବାକୁ ଏମିତି ଏକ ପଦକ୍ଷେପ ନେଇଛନ୍ତି । ଝିଅକୁ ନିର୍ବାଚନ ରଣକ୍ଷେତ୍ରରେ ଦୃଢ଼ କରି ଛିଡା କରିବାକୁ ସାହସ ସାଜିଛନ୍ତି ବାପା । ଆଜିକାଲି ସେଇମାନେ ନିର୍ବାଚନ ଲଢୁଛନ୍ତି ଯେଉଁମାନଙ୍କ ପାଖରେ ପ୍ରଚୁର ଅର୍ଥ ଅଛି । ତେବେ ଏମିତି ଧାରଣାକୁ ଭୂଲ୍ ପ୍ରମାଣିତ କରି ନିଜର ପୈତୃକ ଘରଡିହରୁ ଗୋଟିଏ ଅଂଶ ବିକ୍ରି କରି ନିଜର ଡାକ୍ତର ଝିଅକୁ ନିର୍ବାଚନ ଲଢାଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ଶ୍ରୀ ଶର୍ମା ବିଗତ ୨୦୦୪,୨୦୦୯,୨୦୧୪ ଓ ୨୦୧୯ରେ ସର୍ବମୋଟ ୪ ଥର ଆଳି ବିଧାନସଭା ଆସନରୁ ନିର୍ବାଚନ ଲଢିଥିବାବେଳେ ୨୦୧୪ ନିର୍ବାଚନରେ ନିଜର ପ୍ରତିଦ୍ବନ୍ଦୀ ପ୍ରତାପ ଦେବଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲେ।
କିନ୍ତୁ ଚଳିତ ଥର ନିର୍ବାଚନରେ ଶାରିରୀକ ଅସୁସ୍ଥତା ଯୋଗୁଁ ନିଜେ ନିର୍ବାଚନ ନଲଢି ନିଜର ଏକମାତ୍ର ଝିଅ ଡାକ୍ତର ଦେବସ୍ମିତାଙ୍କୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଛାଡିଛନ୍ତି । ବିଶେଷ କଥା ହେଉଛି ନିର୍ବାଚନ ଲଢିବା ପାଇଁ ଦେବସ୍ମିତା ଦୁଇମାସ ତଳେ ଡାକ୍ତରୀ ଚାକିରୀରୁ ଅବ୍ୟାହତି ନେଇ ବିଜେଡି ପ୍ରାର୍ଥୀ ମନ୍ତ୍ରୀ ପ୍ରତାପ ଦେବ ଓ ବିଜେପିର କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସହିତ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।
ଜମି ବିକ୍ରି କରି ଝିଅକୁ ନିର୍ବାଚନ ଲଢାଇବା ପାଇଁ ଆଳି ସବରେଜେଷ୍ଟ୍ରି ଅଫିସରେ ନିଆଳ ମୌଜାରେ ନିଜର ମୂଲ୍ୟବାନ ଘରଡିହରୁ ୫ ଡେସମିଲ ବିକ୍ରି କରୁଥିବା ସମୟରେ ଏହି ଘଟଣା ସାମନାକୁ ଆସିଥିଲା । ଏବେ ଶାରିରୀକ ଅସାମର୍ଥ୍ୟ ଯୋଗୁଁ ମୁଁ ନିର୍ବାଚନ ଲଢିବା ସମ୍ଭବ ନୁହେଁ।ତେଣୁ ଝିଅକୁ ନିର୍ବାଚନ ମଇଦାନକୁ ଛାଡିଛି।ମୋ ପାଖରେ ଆର୍ଥିକ କ୍ଷମତା ମଧ୍ୟ ନାହିଁ । ଝିଅ ଦେବସ୍ମିତାର ସର୍ବନିମ୍ନ ନିର୍ବାଚନୀ ଖର୍ଚ୍ଚ ତୁଲାଇବାକୁ ପୈତୃକ ସମ୍ପତ୍ତି ବିକ୍ରି କରିଛି।ଏ ଲଢେଇ କଳା ଟଙ୍କା ବନାମ ସ୍ବଚ୍ଛ, ନିର୍ମଳ ପ୍ରତିନିଧିତ୍ବ ମଧ୍ୟରେ ହେଉଛି ବୋଲି ଶ୍ରୀ ଶର୍ମା କହିଛନ୍ତି।ଦେବସ୍ମିତା ବି ଘର ଘର ବୁଲି ଲୋକଙ୍କ ପାଖରେ ପହଁଚି ନିଜ ପାଇଁ ଭୋଟ ମାଗୁଛନ୍ତି । ଆଉ ସେ ଲୋକମାନଙ୍କ ଝିଅ ବୋଲି କହି ଗାଁର ବୃଦ୍ଧ ବୃଦ୍ଧାଙ୍କ ପାଖରେ ଛିଡା ହେଉଛନ୍ତି ।