ପ୍ୟାଣ୍ଟ ସାର୍ଟ ପରେ ଧୋତି ପିନ୍ଧାକୁ ନେଇ ବିବାଦ : ହଟିଲା ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି

ପୁଣି ମହାପୁରୁଷଙ୍କୁ ଉପହାସ । ତ୍ରୁଟି ସୁଧାରିବାକୁ ଯାଇ ପୁଣି ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିକୁ ପୌରପାଳିକା ପକ୍ଷରୁ ବିକୃତ କରାଯାଇଥିବା ଅଭିଯୋଗ ।

ଅନୁଗୋଳ (କେନ୍ୟୁଜ): ନବକୃ‌ଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରେ ବିକୃତ ପୋଷାକ ପିନ୍ଧାଇ ଦିଆଗଲା । ସବୁଆଡ଼ୁ ବି‌ରୋଧ ହେଲା ପରେ ନଗରପାଳ ଭୁଲ ମାଗିଲେ । ରାତାରାତି ପ୍ୟାଣ୍ଟକୁ ବଦଳାଇ ଧୋତି ପଞ୍ଜାବୀ ପିନ୍ଧାଇ ଦିଆଗଲା । ତଥାପି ଏହି ପ୍ରତିମୂର୍ତ୍ତିକୁ ନେଇ ବିବାଦ ଥମି ନଥିଲା । ନବବାବୁ ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧୁଥିଲା ବେଳେ ଏଠାରେ ତାଙ୍କୁ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଯାଇଛି । ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇ ଥିଲେ ନବପ୍ରେମୀ । ଖୋଦ୍‌ ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା ନବବାବୁଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଥିଲେ ।

ଏତେ ବିରୋଧ ପରେ ଆଜି ପୌରପାଳିକା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଗୋପବନ୍ଧୁ ପାର୍କର ଯେଉଁ ସ୍ଥାନରେ ଲାଗିଥିଲା ସେଠାରୁ ହଟାଇ ଦିଆ ଯାଇଛି । ପ୍ରତିମୂର୍ତ୍ତିକୁ ସମ୍ପୂର୍ଣ୍ଣ ସଠିକ ଭାବରେ କରିବା ପରେ ଲଗାଯିବ ବୋଲି ଜଣା ପଡିଥିବା ବେଳେ କେବେ ସୁଦ୍ଧା ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ସେ ନେଇ ପୌରପାଳିକା ପକ୍ଷରୁ ସୂଚନା ମିଳି ପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.