ଅଲିଭ ରିଡଲେଙ୍କ ବାଟ ଚାହିଁବସିଛି ଗହୀରମଥା….. ପ୍ରସ୍ତୁତି ଜାରି ରଖିଛି ବନ ବିଭାଗ

ନଭେମ୍ବର ୧ ତାରିଖରୁ ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାକୁ ପ୍ରଜନନ ପାଇଁ ଆସିବେ ବିରଳ ଅଲିଭ ରିଡେଲ କଇଁଛ । ଏହି ବିରଳ ପ୍ରଜାତି କଇଁଛ ମାନଙ୍କର ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତି ଚଳାଇଥିବା ବେଳେ କଇଁଛ ମାନଙ୍କର ଆଗମନକୁ ଅପେକ୍ଷା ରହିଛି । ଅନ୍ୟ ପକ୍ଷରେ, ଏମାନଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିବା ସ୍ପିଡି ବୋଟ୍ ଅଚଳ ହୋଇ ପଡିଥିବାରୁ ପରିବେଶବିତ୍ ମାନେ ଅସନ୍ତୋଷ ଜାହିର କରିଛନ୍ତି। କହିରଖିବା ଉଚିତ ହେବକି, କେନ୍ଦ୍ରାପଡା ଜିଲ୍ଲା ସାମୁଦ୍ରିକ ଅଭୟାରଣ୍ୟ “ଗହିରମଥା”କୁ ସୁରକ୍ଷିତ ମନେକରି ବଂଶ ବୃଦ୍ଧି କରିବା ପାଇଁ ପ୍ରଶାନ୍ତ ମହାସାଗରରୁ ହଜାର ହଜାର ନଟିକାଲ ମାଇଲ ଦୂରରୁ ଗଭୀର ସମୁଦ୍ର ଅତିକ୍ରମ କରି ବିରଳ ଅଲିଭରିଡଲେ କଇଁଛ ମାନେ ଆସିଥାନ୍ତି।

olive

ଏହି କଇଁଛ ମାନଙ୍କର ଆଗମନକୁ ଆଖି ଆଗରେ ରଖି ଗହିରମଥାକୁ ସରକାର ୧୯୯୭ ମସିହାରେ ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରିଛନ୍ତି । ନଭେମ୍ବର ୧ ତାରିଖ ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଧାମରା ଠାରୁ ଦେବୀମୁହାଣ ପର୍ଯ୍ୟନ୍ତ ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ରଚାଳିତ ଡଙ୍ଗା ଏବଂ ମାଛ ମାରିବା ଉପରେ କଟକଣା କଡାକଡି ଭାବେ ଜାରି କରାଯାଇଥାଏ । ଏନେଇ ଶେଷ ପର୍ଯ୍ୟାୟରେ ବନବିଭାଗର ପ୍ରସ୍ତୁତି ଜାରି ରହିଛି । କଇଁଛ ମାନଙ୍କ ସୁରକ୍ଷା ପାଇଁ ୧୬ ଗୋଟି କ୍ୟାମ୍ପ କରାଯାଇଥିବା ବେଳେ ବାବୁବାଲି ଏବଂ ଅଗରନାଶିରେ ଦୁଇଟି ସ୍ଥାୟୀ କ୍ୟାମ୍ପ କରାଯାଇଛି । ଏହା ସହ ଦୁଇଟି ସ୍ପିଡ୍ ବୋଟ ଏବଂ ୬୦ ଜଣରୁ ଉର୍ଦ୍ଧ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

olive

ଅପରପକ୍ଷରେ, ଏହି ସମୟରେ ଗହିରମଥା ଉପକୂଳରେ ପ୍ରଚୁର ପରିମାଣ ରେ ମାଛ ମିଳୁଥିବାରୁ ମତ୍ସ୍ୟଜିବୀ ମାନେ କଟକଣା ସତ୍ତ୍ୱେ ନିୟମକୁ ବେଆଇନ ଭାବେ ନିଷିଦ୍ଧାଅଂଚଳ ମଧ୍ୟରେ ପ୍ରବେଶ କରି ମାଛ ମାରିଥାନ୍ତିି । ଫଳରେ ଟ୍ରଲର ମାଡ ଏବଂ ଜାଲରେ ଛନ୍ଦି ହୋଇ ହଜାର ହଜାର କଇଁଛ ମୃତ୍ୟୁବରଣ କରନ୍ତି । ବିଗତ ବର୍ଷ ମାନଙ୍କରେ ବନ ବିଭାଗ ବେଆଇନ ମାଛ ମାରୁଥିବା ଟ୍ରଲର ଉପରେ ରୋକ୍ ଲଗାଇ ବାରେ ବିଫଳ ହୋଇଥିବା ବେଳେ ଚଳିତ ବର୍ଷ କିପରି କଇଁଛ ମାନଙ୍କୁ ସୁରକ୍ଷା ଦେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ଏବଂ ନଭେମ୍ବର ୧ ତାରିଖରୁ କଇଁଛ ମାନଙ୍କ ପ୍ରଜନନ ଆରମ୍ଭ ହେବାକୁ ଯାଉଥିବା ବେଳେ ସୁରକ୍ଷାରେ ନିୟୋଜିତ ଥିବା ୨ଟି ସ୍ପିଡ ବୋଟ୍ ଏବେ ସୁଦ୍ଧା ଅଚଳ ହୋଇ ପଡିରହିଛି । ତେବେ କିପରି କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଙ୍ଗି ହେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.