Below header

ବିପଦକୁ ଖାତିର ନକରି ପୁଣି ଜଳପଥରେ ଗାଁକୁ ଫେରିବା ପାଇଁ ପ୍ରୟାସ,ଚେନ୍ନାଇରୁ ପୁଣି ୩୩ ଜଣ ଶ୍ରମିକ ଜଳପଥରେ ଗଞ୍ଜାମ ଆର୍ଯ୍ୟପଲ୍ଲୀ ଫେରୁଥିବା ସୂଚନା

ଗଞ୍ଜାମ(କେନ୍ୟୁଜ୍): କରୋନା ଭାଇରସକୁ ମୁକାବିଲା କରିବା ଲାଗି ସାରା ଦେଶ ଏବେ ଲକ୍ ଡାଉନ । ଏଭଳି ସ୍ଥିତିରେ ଯେଉଁ ବ୍ୟକ୍ତି ଯେଉଁଠି ଅଛନ୍ତି ସେ ସେଇଠି ରହିବା ଲାଗି କେନ୍ଦ୍ର ଓ ପ୍ରତ୍ୟେକ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରୀ କରାଯାଇଛି । ତେବେ ଓଡିଶା ରାଜ୍ୟରୁ ମଧ୍ୟ ଲକ୍ଷାଧିକ ବ୍ୟକ୍ତି ଅନ୍ୟ ରାଜ୍ୟରେ ଫସି ରହିଛନ୍ତି । ଲକ୍ ଡାଉନ ଯୋଗୁଁ ନିଜ ଘରକୁ ଫେରିବା ସମ୍ଭବପର ହେଉପାରୁନାହିଁ । ତେବେ କିଛି ବ୍ୟକ୍ତି ପ୍ରାଣ ପଣେ ଉଦ୍ୟମ କରି ନିଜ ପରିବାର ନିକଟ ଓ ନିଜ ଗାଁରେ ପହଞ୍ଚିବାକୁ ଚେଷ୍ଟା ଜାରିରଖିଛନ୍ତି । ଏବେ କିଛି ଲୋକ ଜଳ ପଥ ଦ୍ୱାରା ବିଭିନ୍ନ ରାଜ୍ୟରୁ ବିପଦ ସଙ୍କୁଳ ଅବସ୍ଥାରେ ବୋଟ୍ ସାହାର୍ଯ୍ୟରେ ଫେରୁଥିବା ଦେଖିବାକୁ ମିଳିଛି ।

ଗତ ଦୁଇ ଦିନ ତଳେ ଚେନ୍ନାଇରୁ ୩୮ଜଣ ଶ୍ରମିକ ଏକ ବୋଟ ସାହାର୍ଯ୍ୟରେ ସୋନାପୁର ରେ ପହଞ୍ଚିଥିଲେ । ଏମାନେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏମାନଙ୍କୁ କ୍ୱାରାଣ୍ଚାଇନରେ ରଖିଛି । ପୁଣି ଆଜି ଚେନ୍ନାଇରୁ ୩୩ ଜଣ ଶ୍ରମିକ ସମୁଦ୍ରରେ ଏକ ବୋଟ ସାହାର୍ଯ୍ୟରେ ଛତ୍ରପୁର ନିକଟ ଆର୍ଯ୍ୟପଲ୍ଲୀ ଆସୁଥିବା ସୂଚନା ମିଳିଛି । ଏହି ୩୩ ଜଣ ଚେନ୍ନାଇର କାଶୀମେଡୁ ଫିସିଙ୍ଗ୍ ହେରବର ନାମକ ଏକ ସଂସ୍ଥାରେ ଗତ୪ମାସ ହେଲା କାମ କରିଆସୁଥିଲେ । ତେବେ କରୋନା ଯୋଗୁଁ ସଂସ୍ଥା ବନ୍ଦ ହୋଇଯିବା ଫଳରେ ଖାଇବା ପିଇବାକୁ ନ ପାଇ ବହୁ କଷ୍ଟରେ ଦିନ କାଟୁଥିଲେ । ତେବେ ଏମାନେ ୨ଲକ୍ଷ ୧୦ ହଜାର ଟଙ୍କାରେ ଏକ ବୋଟ୍ କିଣି ଗତ ଶୁକ୍ରବାର ଅର୍ଥାତ ୨୪ତାରିଖରେ ଚେନ୍ନାଇରୁ ବାହାରିଥିବା ସେମାନଙ୍କ ସମ୍ପର୍କୀୟ ମାନଙ୍କଠାରୁ ସୂଚନା ମିଳିଛି ।

ଏହାସହ ସେମାନେ ଚେନ୍ନାଇରୁ ବାହାରିଲା ଦିନ ଠାରୁ ଆର୍ଯ୍ୟପଲ୍ଲୀ ନାଏବ ସରପଞ୍ଚ ଟି. ବାବାଜୀଙ୍କ ସହ ଯୋଗାଯୋଗରେ ରଖିଥିବା ନାଏବ ସରପଞ୍ଚ ସୂଚନା ଦେଇଛନ୍ତି । ବୋଟ୍ ରେ ଆସୁଥିବା ୩୩ ଜଣଙ୍କ ମଧ୍ୟରେ ସାନ ଆର୍ଯ୍ୟପଲ୍ଲୀ ଗାଁର ୨୧ଜଣ, ମାର୍କଣ୍ଡି ଗାଁର ୫ଜଣ, ସୋନପୁରର ଜଣେ, ରାମେୟାପାଟଣାର ଜଣେ, ନୋଳିଆ ନୂଆଁଗାର ଜଣେ , ପୁରୀ ଜିଲ୍ଲାର ଜଣେ ଓ ଆନ୍ଧ୍ରପ୍ରଦେଶର ଦୁଇ ଜଣ ଶ୍ରମିକ ରହିଛନ୍ତି । ଆଜି ସଂଧ୍ୟାରେ ଏହି ଶ୍ରମିକମାନେ ଆର୍ଯ୍ୟପଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.