ହାଇଟେକ ଭିକାରୀ : ଜିନ୍ସ, ଟି ସାର୍ଟ ପିନ୍ଧି ମାଗୁଛନ୍ତି ଭିକ

ସମ୍ବଲପୁର : ହାଇଟେକ ଭିକାରୀ । ପିନ୍ଧିଛନ୍ତି ଜିନ୍ସ, ଟି ସାର୍ଟ ସାଙ୍ଗକୁ ଫୁଲ ସୁ । ପୂରା ଷ୍ଟାଇଲିସ । ଆଉ ରାଜରାସ୍ତା ଉପରେ ଷ୍ଟାଇଲରେ ମାଗୁଥିଲେ ଟଙ୍କା । ଲୋକମାନେ ବି ବଢ଼ାଇ ଦେଉଥିଲେ ୫୦, ଶହେ ଓ ୫ ଶହ ଟଙ୍କିଆ ନୋଟ୍‌ । ସମ୍ବଲପୁର ନକ୍ସାପାଲି ଅଞ୍ଚଳରେ ଜାତୀୟ ରାଜପଥ ଉପରେ ଏପରି କିଛି ଯୁବତୀଙ୍କ ଭିକ୍ଷାବୃତ୍ତି କରିବାର ଦୃଶ୍ୟ ଏବେ ଭାଇରାଲ ହୋଇଛି । ସମ୍ବଲପୁର-କଟକ ଜାତୀୟ ରାଜପଥ ୫୩ ନମ୍ବରରେ ଗତକାଲି ଆଧୁନିକ ବେଶଭୂଷାରେ ୭ ଜଣ ଯୁବତୀ ଲୋକଙ୍କୁ ଅଟକାଇ ଭିକ ମାଗିଥିଲେ । କୌଣସି ଆଶ୍ରମ ଓ କିଛି ଅସୁସ୍ଥ ରୋଗୀଙ୍କ ପାଇଁ ଚିକିତ୍ସା ନାଁରେ ସେମାନେ ସହାୟତା କରିବାକୁ କହିଥିଲେ । ଏମାନଙ୍କ ଘର ଗୁଜୁରାଟର ଅହମ୍ମଦାବାଦରେ । ହେଲେ ଯୁବତୀଙ୍କ ହାବଭାବ ଉପରେ କିଛି ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଧନୁପାଲି ଥାନାକୁ ଖବର ଦେଇଥିଲେ । ପୋଲିସ ଯୁବତୀମାନଙ୍କୁ ଉଦ୍ଧାର କରିବା ପରେ ସେମାନଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ନିଜର ଘରଦ୍ୱାର ନଥିବାରୁ ସେମାନେ ଭିକ୍ଷାବୃତ୍ତି କରୁଥିଲେ ବୋଲି ପୋଲିସକୁ ଯୁବତୀମାନେ କହିଛନ୍ତି । ଆଗକୁ ରାଜପଥ ଉପରେ ଭିକ୍ଷା ନ ମାଗିବାକୁ ତାଗିଦ କରାଯାଇଛି । କିଛି ଦିନ ପୂର୍ବରୁ ସମ୍ବଲପୁରରେ ମଧ୍ୟ ଜଣେ ଯୁବକ ଲାପଟପ ଧରି ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.