ଜିଏସଟିର ପ୍ରଥମ ଜନ୍ମଦିବସ ! ଆସନ୍ତୁ ଜାଣିବା କେମିତି ରହିଛି ଏହି ବର୍ଷ

ଭୁବନେଶ୍ବର : ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ- ଜିଏସ୍ଟିକୁ ବର୍ଷେ ପୂରିଛି । ଆଜି ପାଳନ ହେଉଛି ଜିଏସଟି ଦିବସ । ଗତବର୍ଷ ଜୁଲାଇ ୧ ତାରିଖରୁ ସାରାଦେଶରେ ଜିଏସଟି ଲାଗୁ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଜିଏସ୍ଟି ବ୍ୟବସ୍ଥାରେ ଅନେକ ଫାଇଦା ମିଳିଥିଲେ ମଧ୍ୟ ଏଥିରେ ଅଧିକ ସଂସ୍କାର ଆବଶ୍ୟକ। ଏହାକୁ ନେଇ ରାଜନୈତିକ ଯୁଦ୍ଧ ମଧ୍ୟ ଚାଲିଛି। ତେଣୁ ଜିଏସଟିରେ ଆଗକୁ ଅନେକ ପରିବର୍ତ୍ତନର ସମ୍ଭାବନା ରହିଛି ।

୨୦୧୭ ଜୁଲାଇ ୧ ତାରିଖରୁ ଲାଗୁ ହୋଇଥିଲା ଜିଏସଟିର ୱାନ୍ ନେସନ, ୱାନ୍ ଟ୍ୟାକ୍ସ, ୱାନ୍ ମାର୍କେଟ୍ ସେବା। ଏହି ମୁହୂର୍ତ୍ତକୁ ଐତିହାସିକ କରିବା ପାଇଁ ଜୁନ୍ ୩୦ ମଧ୍ୟରାତ୍ରୀରେ ପାର୍ଲ୍ୟାମେଣ୍ଟ ସେଣ୍ଟ୍ରାଲ ହଲରେ ଏହାର ଶୁଭାରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏହା ଗୁଡ୍ ସିମ୍ପଲ ଟ୍ୟାକ୍ସ।

ଏହା ଦ୍ବାରା ଜଟିଳ ପରୋକ୍ଷ ଟିକସ ସଂଗ୍ରହ ପ୍ରକ୍ରିୟା ସରଳ ହେଲା । ଟିକସ ସଂଗ୍ରହ ବଢ଼ିବା ସହ ଏଥିରେ ପାରଦର୍ଶିତା ମଧ୍ୟ ଆସିଛି। ମାସକୁ ହାରାହାରି ୯୦ ହଜାର କୋଟି ଟଙ୍କା ସଂଗ୍ରହ ହେଉଛି। ଏପ୍ରିଲ ମାସରେ ଟିକସ ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ପାର କରିଥିଲା। ଏହାସହ ଚଳିତ ବର୍ଷରୁ ଇ-ୱେ ବିଲ୍ ବ୍ୟବସ୍ଥା ଲାଗୁ ହେବାରୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସହଜରେ ସାମଗ୍ରୀ ଯାଇ ପାରୁଛି। ଜିଏସଟିକୁ ସେଲିବ୍ରେଟ୍ କରିବା ପାଇଁ ଜୁଲାଇ ୧କୁ ସରକାର ଜିଏସ୍ଟି ଦିବସ ଭାବେ ପାଳିବେ ବୋଲି ସୂଚନା ମିଳିଛି ।

ଟିକସ ସଂସ୍କାର କ୍ଷେତ୍ରରେ ବଡ଼ ପଦକ୍ଷେପ ଥିଲା ଜିଏସଟି। କିନ୍ତୁ ଯେଉଁ ଭଳି ଭାବେ ଲାଗୁ ହେଲା, ବିରୋଧୀ ନାମ ଦେଇଥିଲେ ଗବ୍ଦର ସିଂହ ଟ୍ୟାକ୍ସ। ଗୋଟିଏ ଦେଶ, ଗୋଟିଏ ଟିକସ ବ୍ୟବସ୍ଥାରେ ୪ଟି ଭିନ୍ନଭିନ୍ନ ଟିକସ ସ୍ତର ରହିଛି। ଏହା ରହିଛି ୫, ୧୨, ୧୮ ଓ ୨୮ ପ୍ରତିଶତ। ଏହାସହ ରହିଛି ସେସ୍ ବ୍ୟବସ୍ଥା। ତେବେ ନୂଆ ନିୟମ ଯୋଗୁ ରିଟର୍ଣ୍ଣ ଫାଇଲ୍ ଦ୍ୱନ୍ଦ୍ୱ ଦୂର ହୋଇନି। ଏପରିକି ୨୮ ପ୍ରତିଶତ ଟିକସକୁ ନେଇ ରାଜନୈତିକ ଆକ୍ରମଣ ହେବାରୁ ଗତ ନଭେମ୍ବର ମାସରେ ଏକସଙ୍ଗେ ୧୭୮ଟି ସାମଗ୍ରୀର ଟିକସକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଯାଇଥିଲା। ତଥାପି ଜିଏସଟି ଆଜି ପର୍ୟ୍ୟନ୍ତ ସଠିକ ବାଟକୁ ଆସିନାହିଁ। ପେଟ୍ରୋଲ ଓ ଡିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବା ନେଇ ବିବାଦ ରହିଛି। ବର୍ତ୍ତମାନ ବି ପ୍ରତି ଜିଏସଟି କାଉନସିଲ୍ ବୈଠକରେ କିଛି ନା କିଛି ପରିବର୍ତ୍ତନ ହେଉଛି। ବର୍ତ୍ତମାନ ସୁଦ୍ଧା ୨୭ଟି କାଉନସିଲ ବୈଠକ ବସିସାରିଛି। ଆଗକୁ ମଧ୍ୟ ଅନେକ ବାଟ ଯିବାର ଅଛି, ଅନେକ ପରିବର୍ତ୍ତନର ସମ୍ଭାବନା ଅଛି।

Leave A Reply

Your email address will not be published.