ସମ୍ବଲପୁର: ସ୍କୁଲରେ କିଏ ରଖିଥିଲା ପିସ୍ତଲ? ରେଙ୍ଗୁମୁଣ୍ଡା ସ୍କୁଲ ଶ୍ରେଣୀରୁ ମିଳିଲା ବନ୍ଧୁକ 

କୁଚିଣ୍ଡା(କେନ୍ୟୁଜ୍):  ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଉଷାକୋଠି ଅଭୟାରଣ୍ୟ ମଧ୍ୟରେ ଥିବା ରେଙ୍ଗୁମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଏକ କୋଠରୀ ମଧ୍ୟରୁ ମିଳିଛି ପିସ୍ତଲ । ସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷକ ଗୋବିନ୍ଦ ଭୋଇ ଦୁଇଟି ଶ୍ରେଣୀ କୋଠରୀକୁ ନିଜ ଅକ୍ତିଆରରେ ରଖି ବ୍ୟବହାର କରୁଥିଲେ । ଗୋଟିଏ କୋଠରୀରେ ରୋଷେଇବାସ କରୁଥିବାବେଳେ ଅନ୍ୟ କୋଠରୀରେ  ଶୋଉଥିଲେ । ହେଲେ ଗତ ୪ ତାରିଖରେ ତାଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି । ସେ  ବଦଳି ହୋଇଥିବା ସ୍କୁଲରେ ଯୋଗ ଦେଇସାରିଛନ୍ତି । କିନ୍ତୁ ତାଙ୍କ ଜିନିଷ ପତ୍ର ନେଇ ଶ୍ରେଣୀ କୋଠରୀ ଖାଲି କରିନାହାନ୍ତି ।

ସିଆରସିସି ଗୋଟିଏ ଶ୍ରେଣୀ କୋଠରୀକୁ ଖାଲି କରି ପିଲାଙ୍କୁ ପାଠ ପଢାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ଶନିବାର ପ୍ରଧାନଶିକ୍ଷକ ଲକ୍ଷ୍ମୀ କାନ୍ତ ବାଘ ସ୍କୁଲ ପରିଚାଳନା କମିଟି ସଭାପତି ସୁଶାନ୍ତ ଝାଙ୍କରଙ୍କ ଜରିଆରେ ଉକ୍ତ କୋଠରୀକୁ ସଫା କରୁଥିଲେ । ସଫା କରିବା ସମୟରେ କୋଠରୀରେ ଥିବା ଥାକର ଉପର ଭାଗରେ କିଛି ଖବରକାଗଜ ଭିତରେ ଏକ ପିସ୍ତଲ ଥିବା ଦେଖିଥିଲେ । ପିସ୍ତଲ ଦେଖି ଡରିଯାଇ ପ୍ରଧାନ ଶିକ୍ଷକଙ୍କୁ ସୂଚନା ଦେଇଥିଲେ । ପ୍ରଧାନଶିକ୍ଷକ ପିସ୍ତଲ ଦେଖିବା ସହ ସିଆରସିସିଙ୍କୁ ଅବଗତ କରାଇଥିଲେ । ବେଆଇନ ଭାବେ ମାରଣାସ୍ତ୍ର ରଖିବା ଏକ ଧାତବ୍ୟ ଅପରାଧ ଅଟେ । ହେଲେ ଜଣେ ଶିକ୍ଷକ ସ୍କୁଲ ଭିତରେ ମାରଣାସ୍ତ୍ର ରଖିଥିବା ଜାଣିବା ପରେ ମଧ୍ୟ ଉଚ୍ଚ ଅଧିକାରୀ ପୋଲିସକୁ  ସୂଚନା ଦେଇନଥିବା ଜଣାପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.