ବୁଣାକାରଙ୍କ ଉତ୍ପାଦର ଚିହ୍ନଟକରଣ ପାଇଁ ହ୍ୟାଣ୍ଡଲୁମ୍ ମାର୍କ ଯୋଜନା, ଯୋଜନାରେ ଓଡ଼ିଶାରୁ ୬୬୮ ଜଣଙ୍କୁ କରାଯାଇଛି ପଞ୍ଜୀକରଣ

କନ୍ଧମାଳ (କେନ୍ୟୁଜ୍) : ଓଡ଼ିଶାରେ ହସ୍ତତନ୍ତ ବ୍ୟବସାୟର ସୁରକ୍ଷା ଓ ସ୍ୱଦେଶୀ ଶୈଳୀକୁ ଲୋକପ୍ରିୟ କରାଇବା ଦିଗରେ କେନ୍ଦ୍ର ସରକାର ଗତ ୩ ବର୍ଷ ମଧ୍ୟରେ କି କି ପଦକ୍ଷେପ ନେଇଛନ୍ତି । କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବୟନ ଶିଳ୍ପମନ୍ତ୍ରୀ ସ୍ମୃତି ଇରାନୀ । କେନ୍ଦ୍ର ସରକାର ବୁଣାକାରଙ୍କ ତନ୍ତବୁଣା ଉତ୍ପାଦର ଚିହ୍ନଟକରଣ ପାଇଁ ହ୍ୟାଣ୍ଡଲୁମ୍ ମାର୍କ ଯୋଜନା ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦର ଲୋକପ୍ରିୟତା ପାଇଁ ବିଭିନ୍ନ ସଚେତନତା କାର‌୍ୟ୍ୟକ୍ରମ ହାତକୁ ନିଆଯାଇଥିବା କହିଛନ୍ତି ମନ୍ତ୍ରୀ ସ୍ମୃତି ଇରାନୀ । ବର୍ତ୍ତମାନ ସୁଦ୍ଧା ହ୍ୟାଣ୍ଡଲୁମ୍ ମାର୍କ ଯୋଜନାରେ ୨୧ ହଜାର ୩୨୮ ଜଣ ପଞ୍ଜୀକରଣ କରାଯାଇଥିବା ବେଳେ ଓଡ଼ିଶାରୁ ୬୬୮ ଜଣଙ୍କୁ ପଞ୍ଜୀକରଣ କରାଯାଇଛି । ଏଥିସହ ୬୫ଟି ହସ୍ତତନ୍ତ ଉତ୍ପାଦନ ମଧ୍ୟରୁ ଓଡ଼ିଶାର ୯ଟି ଉତ୍ପାଦ ଜିଆଇରେ ପଞ୍ଜୀକରଣ କରାଯାଇଛି । ଏହି ସବୁ ଉତ୍ପାଦର ନକଲ କରାଗଲେ ବୁଣାକାରମାନେ ଜିଆଇ ଆଇନ ଅନୁସାରେ ସଂପୃକ୍ତ ଉତ୍ପାଦନକାରୀଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିପାରିବେ ବୋଲି କହିଛନ୍ତି ବୟନ ଶିଳ୍ପମନ୍ତ୍ରୀ । ଗତ ୩ ବର୍ଷ ମଧ୍ୟରେ ଓଡ଼ିଶାକୁ ୨୩୨ ଲକ୍ଷ ୩୭ ହଜାର ଟଙ୍କା ବ୍ୟବସାୟ ସହାୟତା ଯୋଗାଇ ଦିଆଯାଇଛି । ଏଥିରେ ରାଜ୍ୟର ୩୭ ହଜାର ବୁଣାକାର ଉପକୃତ ହୋଇଥିବା ବେଳେ ୨୫.୭ କୋଟି ଟଙ୍କା ବ୍ୟବସାୟ ହୋଇପାରିଛି । ସମଗ୍ର ଦେଶରେ ଇଣ୍ଡିଆ ହ୍ୟାଣ୍ଡଲୁମ୍ ବ୍ରାଣ୍ଡ ଅନ୍ତର୍ଗତ ୧୨୩୨ ଉତ୍ପାଦ ପଞ୍ଜୀକୃତ ହୋଇଥିବା ବେଳେ ଏଥିରୁ ୩୨ଟି ହେଉଛି ଓଡ଼ିଶାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.