Below header

ପ୍ରସିଦ୍ଧ ରାସ ଯାତ୍ରା ପାଇଁ ହରିପୁର ଅଞ୍ଚଳ ଉତ୍ସବମୁଖର, କୁଞ୍ଜରେ ଶୋଭାପାଉଛନ୍ତି ରାଧାକୃଷ୍ଣ ଓ ମଦନମୋହନ

ପ୍ରସିଦ୍ଧ ରାସ ଯାତ୍ରା ପାଇଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ହରିପୁର ଅଞ୍ଚଳ ଏବେ ଖୁବ ଚଳଚଞ୍ଚଳ। ପରମ୍ପରା ଅନୁଯାୟୀ ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥାଏ ଏହି ଯାତ୍ରା । ଅଞ୍ଚଳର ମଠ ମନ୍ଦିର ଏବଂ କୁଞ୍ଜରେ ପୂଜା ପାଇଥାନ୍ତି ରାଧାକୃଷ୍ଣ ଏବଂ ମଦନମୋହନ । ଏହି ସମୟରେ ସମଗ୍ର ଅଞ୍ଚଳ ହୋଇଉଠେ ଉତ୍ସବ ମୁଖର । ଗତ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁ ଏହି ଯାତ୍ରା ଫିକା ପଡିଥିଲା । ଚଳିତ ବର୍ଷ ଏହି ରାସ ଯାତ୍ରାରେ ପ୍ରବଳ ଜନସାମଗମ ହେଉଥିବା ଦେଖିବାକୁ ମିଳିଛି ।

କାହିଁ କୋଉ କାଳରୁ ଏହି ପରଂପରା ଚାଲି ଆସୁଥିବା ବେଳେ ଏହି ଯାତ୍ରା ଦେଖିବାକୁ ଆଖପଖ ଅଞ୍ଚଳ ସହ ଜିଲା ବାହାରୁ ଲୋକଙ୍କର ସୁଅ ଛୁଟିଥାଏ । କାରିଗରମାନେ ଅନେକ ଦିନ ଅଗରୁ ଲାଗି ପଡିଥାନ୍ତି କୁଂଜ ଓ ମୂର୍ତ୍ତି ତିଆରି କାମରେ । ବିଶେଷ ଭାବରେ କାରିଗରମାନେ ବିଭିନ୍ନ ସାମଗ୍ରୀକୁ ବ୍ଯବହାର କରି ସାଜ୍ଜସଜ୍ଜା ଉପରେ ଗୁରତ୍ୱ ଦେଇଥାନ୍ତି । କୁଂଜକୁ ଆକର୍ଷଣୀୟ କରିବା ଲାଗି ଅନେକ ସାହିର କର୍ମକର୍ତାଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ହେଉଥିବା ଏହି ସମୟରେ ଲକ୍ଷ୍ୟ କରାଯାଇଥାଏ । ଚଳିତ ବର୍ଷ ଏହି ରାସ ଯାତ୍ରାର ପ୍ରତ୍ୟହ ସଂଧ୍ୟାରେ ପ୍ରବଳ ଜନସାମଗମ ହେଉଥିବା ଦେଖିବାକୁ ମିଳିଛି ।

କିମ୍ବଦନ୍ତି ଅନୁସାରେ ପଂଚଦଶ ଶତାବ୍ଦୀରେ ଶ୍ରୀ ଚୈତନ୍ଯଦେବ ଶ୍ରୀକ୍ଷେତ୍ର ଯିବା ବାଟରେ ଏଇଠି କିଛି ସମୟ ଅଟକିଥିଲେ । ସେହି ସମୟରେ ଏହି ସ୍ଥାନରେ ଅନେକ ଲୋକ ରାଧାକୃଷ୍ଣଙ୍କ ପ୍ରେମରେ ନିଜକୁ ବାନ୍ଧି ରଖିଥିଲେ । ସେବେ ଠାରୁ ଏହି ଅଂଚଳରେ ପାଳିତ ହୋଇ ଆସୁଛି ରାହାସ ଯାତ୍ରା । ଯାତ୍ରା ଲାଗି ସୁସଜ୍ଜିତ ଆଲୋକମାଳାରେ ସଂପୂର୍ଣ୍ଣ ଝଲସି ଉଠୁଛି ହରିପୁର ଅଂଚଳ । ଜନଗହଳିକୁ ଦୃଷ୍ଟିରେ ରଖି ଏଠାରେ ବିଭିନ୍ନ ବ୍ଯବସାୟିକ ଷ୍ଟଲ ଗୁଡିକ ଖୋଲିଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଦର୍ଶକମାନେ ଏଠାକୁ ସଂଧ୍ୟାରେ ଆସି ବିଭିନ୍ନ କୁଂଜ ବୁଲି ଚଟପଟି ଖାଦ୍ୟର ମଜା ନେବା ସହ ବିଭିନ୍ନ ଘରକରଣା ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି । ଏହି ଯାତ୍ରାର ଅନ୍ଯତମ ଆକର୍ଷଣ ହେଉଛି ଅପେରା ପାର୍ଟି । ବିଭିନ୍ନ କମିଟି ପକ୍ଷରୁ ୫ରୁ ଅଧିକ ଅପେରା ପାର୍ଟିର ଆୟୋଜନ କରାଯାଇଥିବା ବେଳେ ଦର୍ଶକମାନେ ଏହାର ଭରପୁର ମନୋରଂଜନ ଉଠାଉଛନ୍ତି । ପରଂପରାକୁ ସମ୍ମାନ ଜଣାଇ ହରିପୁର ଅଂଚଳ ବାସିନ୍ଦା ପ୍ରତ୍ୟେକ ବର୍ଷ ଏହି ଯାତ୍ରାକୁ ପାଳନ କରିଆସୁଥିବା ବେଳେ ଏହା ଏବେ ଅଂଚଳର ଗଣପର୍ବ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.