ନିଜେ ଦୁନିଆ ଛାଡି ଗଲେ କିନ୍ତୁ ବଞ୍ଚାଇଦେଇ ଗଲେ ଦୁଇ ଜଣଙ୍କ ଜୀବନ

ଜଣେ ବାଳକ ଯିଏ ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଲେ ସତ ହେଲେ ଆଜି ସିଏ ବଞ୍ଚାଇଦେଇ ଗଲେ ଦୁଇ ଜଣଙ୍କ ଜୀବନ । ବ୍ରେନଟ୍ୟୁମରରେ ପୀଡିତ ହୋଇ ଦୀର୍ଘ ଦେଢ଼ ମାସ ଧରି କଟକ ଏସିବିରେ ଚିକିତ୍ସା ହେଉଥିଲେ । ତେବେ ଏହାପରେ ଓମ ଶିବୁଙ୍କର ବାପା ମା' ଓ ପରିବାର ଲୋକ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଜୀବନ ଅଛି ତ ମୃତ୍ୟୁ ବି ସୁନିଶ୍ଚିତ । ତେବେ ମୃତ୍ୟୁ କେଉଁ ଭଳି ଭାବେ କେଉଁ ବୟସରେ ଆସେ ସେ କଥା କେହି କହି ପାରିବେନି । କିନ୍ତୁ କଥାରେ କୁହାଯାଏ, ମଣିଷ ନିଜ କର୍ମ ଜରିଆରେ ମରିବା ପରେ ବି ଜିଇଥାଏ । ଅର୍ଥାତ୍‌ ତାକୁ ମନେ ରଖନ୍ତି ଲୋକେ । ଆମେ ଆପଣଙ୍କୁ ଏଥିପାଇଁ ଏକଥା କହୁଛୁ କାରଣ ଜଣେ ବାଳକ ଯିଏ ଏହି ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଯାଇଛି ହେଲେ ଏମିତି କାମ କରି ଯାଇଛି ଯେ ସେ ଯେମିତି ଅମର ହୋଇଯାଇଛି ଅନେକଙ୍କ ପାଇଁ ।

ବାଳକଟି ସିନା ଆରପାରିକୁ ଚାଲି ଯାଇଛି ହେଲେ ବଞ୍ଚାଇ ଦେଇଯାଇଛି ଦୁଇ ଜଣଙ୍କ ଜୀବନ । ବ୍ରେନଟ୍ୟୁମରରେ ପୀଡିତ ହୋଇ ଦୀର୍ଘ ଦେଢ଼ ମାସ ଧରି କଟକ ଏସିବିରେ ଚିକିତ୍ସା ହେଉଥିଲା ପିଲା ଓମ୍‌ ଶିବୁ । ସେହି ଚିକିତ୍ସାଧୀନ ଅବସ୍ଥାରେ ତାର ଗୁରୁବାର ଦିନ ବ୍ରେନ ଡେଡ଼ ହୋଇ ଯାଇଥିଲା । ତେବେ ଏହା ପରେ ଓମ ଶିବୁର ବାପା ମା’ ଓ ପରିବାର ଲୋକ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଆଜି ଡାକ୍ତର ତାଙ୍କର ଦୁଇଟି କିଡନୀକୁ ସଫଳତାର ସହ ବାହାର କରି ନେଇଛନ୍ତି । ଯାହାକୁ କିଡନୀ ନଷ୍ଟ ହୋଇ ଯାଇଥିବା ଦୁଇଜଣ ବ୍ୟକ୍ତିଙ୍କ ଠାରେ ଲଗାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ଗୋଟିଏ କିଡନୀ କଟକ ଏସସିବି ମେଡିକାଲ କଲେଜରେ ଏବଂ ଆଉ ଗୋଟିଏ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯିବ । ସେଠାରେ ଥିବା ଦୁଇ ଜଣ ରୋଗୀଙ୍କର କିଡନୀ ଲାଗିବା ଜରୁରୀ ।

ତେବେ କିଡନୀ ବାହାର କରାଯିବା ପରେ ଓମ୍‌ ଶିବଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଉ ଏସସିବି ପକ୍ଷରୁ ତାଙ୍କୁ ସମ୍ମାନର ସହ ବିଦାୟ ଦିଆଯାଇଥିଲା । ନିଜେ ସିନା ଦୁନିଆ ଛାଡ଼ି ଚାଲିଗଲେ ହେଲେ ଅନ୍ୟ ୨ ଜଣଙ୍କୁ ଦେଇଗଲେ ଅମୂଲ୍ୟ ଜୀବନ । ଓମ ଶିବୁଙ୍କ ଘର କେନ୍ଦ୍ରାପଡ଼ାରେ । ସେଠାରେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ତାଙ୍କୁ ଶେଷକୃତ୍ୟ ବେଳେ ଗାର୍ଡ ଅଫ ଅନର ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.