ଆସୁଛି ବାତ୍ୟା ତିତ୍‌ଲି , ୧୦ ଓ ୧୧ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆସୁଛି ବାତ୍ୟା ତିତ୍‌ଲି । ୭୨ ଘଣ୍ଟା ମଧ୍ୟରେ ଓଡ଼ିଶାରେ ପହଞ୍ଚିବା ସମ୍ଭାବନା ରହିଛି । ବର୍ତ୍ତମାନ ସୁଦ୍ଧା ସୂଚନା ଅନୁଯାୟୀ, ଫାଇଲିନ ଭଳି ଏହି ବାତ୍ୟା ଶକ୍ତିଶାଳୀ ନୁହଁ । ତଥାପି ଅକ୍ଟୋବରେ ମାସର ବାତ୍ୟା ଆସୁଥିବାରୁ ଲୋକଙ୍କ ମନରେ ଛନ୍‌କା ପଶିଛି । ବର୍ତ୍ତମାନ ଗୋପାଳପୁର ଠାରୁ ୭୨୦ କିଲୋମିଟର ଦୂର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମଠାରୁ ୬୯୦ କିଲୋମିଟର ଦୂରରେ ଅବପାତର କ୍ଷେତ୍ର ରହିଛି । ଆସନ୍ତା ୪୮ ଘଣ୍ଟାରେ ଏହା ଘୂର୍ଣ୍ଣିଝଡ଼ ରୂପ ନେବ । ଓଡ଼ିଶାର ୧୩ଟି ଜିଲ୍ଲାରେ ୧୦ ଅପରାହ୍ନରୁ ୧୧ ରାତି ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି । 

କାଲିଠାରୁ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା। ପୁରୀ, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ହୋଇପାରେ । ୧୦ ତାରିଖ ଅପରାହ୍ନରୁ ଉପକୂଳ ଓ ଉପକୂଳବର୍ତ୍ତୀ ସଂଲଗ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ହେବ। ୧୧ ତାରିଖରେ ଆଉ ତିନି ଜିଲ୍ଲା କନ୍ଧମାଳ, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୧ ତାରିଖ ରାତି ଯାଏ ସାରା ରାଜ୍ୟରେ ବର୍ଷା ହେବାା ୧୨ ତାରିଖରୁ କମିବ ବର୍ଷାର ପରିମାଣ ।

୧୦ ତାରିଖଠାରୁ ଉପକୂଳ ଅଂଚଳରେ ବଢିବ ପବନର ବେଗ। ବର୍ତ୍ତମାନ ଡିପ୍ରେସନ ଅଂଚଳରେ ପବନରେ ବେଗ ରହିଛି ୪୫ରୁ ୫୫ କିଲୋମିଟର ପ୍ରତି ଘଣ୍ଟା। ୯ ତାରିଖ ସକାଳ ସମୟରେ ପବନ ବେଗ ୫୦ରୁ ୬୦, ୧୦ ତାରିଖ ସକାଳୁ ଏହା ୬୦ରୁ ୭୦ କିଲୋମିଟର ପ୍ରତି ଘଣ୍ଟାରେ ପହଞ୍ଚିବ। ୧୧ ତାରିଖ ସଂଧ୍ୟା ବେଳକୁ ପବନର ବେଗ ୭୦ରୁ ୮୦ କିଲେମିଟରୁ ଆରମ୍ଭ କରି ୯୦ କିଲୋମିଟର ପ୍ରତି ଘଣ୍ଟା ଯାଏ ପହଞ୍ଚିବା ସମ୍ଭାବନା ରହିଛି। ତେଣୁ କାଲିଠାରୁ ମତ୍ସ୍ୟଜୀଜୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ୧୯୯୯ ମହାବାତ୍ୟା ହେଉକି ୨୦୧୩ ଫାଇଲିନ୍‌ ଓ ୨୦୧୪ ହୁଡ୍‌ହୁଡ୍‌, ସବୁ ବାତ୍ୟା ଆସିଛି ଅକ୍ଟୋବର ମାସରେ। ତେଣୁ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ହଲଚଲ ହେଲେ, ଓଡ଼ିଶାବାସୀ ମନ ଦେହଲି ଯାଏ।

ଅନ୍ଯପଟେ କେନ୍ଦ୍ର ସରକାରଙ୍କ ତରଫରୁ ସତର୍କ ରହିବାକୁ ରାଜ୍ୟକୁ ଆଡଭାଇଜାରୀ ଜାରି ହୋଇଛି। ବାତ୍ୟା ‘ତିତ୍‌ଲି’ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ପରିସ୍ଥିତି ନଟଳିବା ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌ । ସେହିପରି ହେଡକ୍ୱାର୍ଟସ୍‌ ଛାଡ଼ି ବାହାରକୁ ନ ଯିବାକୁ କୁହାଯାଇଛି । ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସ୍‌ଆର୍‌ସି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.