ଏ କୁନି ପିଲାକୁ ଜୀବନ ଏବେ ଆପଣଙ୍କ ହାତରେ, ଦ୍ୱିତୀୟ ଜନ୍ମଦିନ ପାଳନ କରି ପାରିବ ତ ସିଦ୍ଧାର୍ଥ

ଶାରୀରିକ, ମାନସିକ ଓ ଆର୍ଥିକ ଚାପରେ ସେ ୧୨ ମାସର ପୁଅ ସହ ମାଆ ଓ ବାପା କିପରି ଜୀବନ କାଟୁଥିବେ ଥରେ ଭାବନ୍ତୁ ତ ।

ଗଜପତି (କେନ୍ୟୁଜ) : ପ୍ରଥମେ ଦୁଇଟି ଝିଅ ଜନ୍ମ ହେଲେ । ଆଉ ବାହାଘରର ୯ ବର୍ଷ ପରେ ଜନ୍ମ ନେଲା ପୁଅଟିଏ । ହେଲେ ପୁଅ ଜନ୍ମର ଖୁସି କିଛି ଦିନ ପରେ ମିଳେଇ ଗଲା । କାରଣ ସେ ପୁଅକୁ ବଞ୍ଚାଇବା ପାଇଁ ବାପାମାଆ ଏବେ ସଂଗ୍ରାମ କରୁଛନ୍ତି । ହେଲେ ପାରୁ ନାହାନ୍ତି । ଶାରୀରିକ, ମାନସିକ ଓ ଆର୍ଥିକ ଚାପରେ ସେ ୧୨ ମାସର ପୁଅ ସହ ମାଆ ଓ ବାପା କିପରି ଜୀବନ କାଟୁଥିବେ ଥରେ ଭାବନ୍ତୁ ତ । ସୁଦୂର ଚେନ୍ନାଇରୁ ଜଣେ ବାପା ଆମ ଚ୍ୟାନେଲକୁ ପଠାଇଛନ୍ତି ଏକ ଭିଡିଓ | ପାରଳାଖେମୁଣ୍ଡିର ତ୍ରିନାଥ ରାଇ ନିଜ ୧୨ ମାସର ପୁଅ ସିର୍ଦ୍ଧାଥକୁ ଖେଳାଉଛନ୍ତି । ସିଦ୍ଧାର୍ଥ ମଧ୍ୟ ବାପାଙ୍କ ସହ ଖେଳୁଛି । ପିଲାଟି ଦିନୁ ସିଦ୍ଧାର୍ଥ ପ୍ରଥମେ ଜଣ୍ଡିସରେ ପୀଡିତ ହେଲା । ପ୍ରାୟ ଦୁଇମାସ ଧରି ଜଣ୍ଡିସରେ ପଡିବା ପରେ ଟିକିଏ ଭଲ ହେଲା ବେଳକୁ ହାକୁଟି ଆରମ୍ଭ ହେଲା । ଆଉ ବନ୍ଦ ହେଲାନି । ପାରଳାଖେମୁଣ୍ଡିରେ ଜଣେ ଶିଶୁ ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ପଡୋଶୀ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଏକ ଘରୋଇ ଚିକିତ୍ସା କେନ୍ଦ୍ର ଗଲେ ବାପା ମା । ବିଭିନ୍ନ ପରୀକ୍ଷା କରିବା ପରେ ସିଦ୍ଧାର୍ଥକୁ ‘ହେପାଟ ବ୍ଲାଷ୍ଟମା’ ତଥା ‘ଲିଭର ଟ୍ୟୁମର’ ବୋଲି ଜାଣିବାକୁ ପାଇଲେ ।

ଫେବୃୟାରୀ ୧୪ ତାରିଖରେ ଏହା ଜାଣିବା ପରେ ୧୫ ତାରିଖରେ ବିଶାଖାପାଟନା ଯାଇ ସେଠାକାର ଏକ ବଡ ଘରୋଇ ହସପିଟାଲରେ ପିଲାକୁ ଦେଖାଇଲେ । ତେବେ ସେଠାରେ ଛୋଟ ପିଲାଙ୍କ କ୍ୟାନ୍ସର ଚିକିତ୍ସା ହେଉନଥିବା ଜାଣିବା ପରେ ଡାକ୍ତରଙ୍କ ପରାମର୍ଶ ଦୌଡ଼ିଲେ ଚେନ୍ନାଇ । ଚେନ୍ନାଇ ଯିବା ଯାଏଁ ବାପା ତ୍ରିନାଥ ପୁଅ ସିଦ୍ଧାର୍ଥ ପାଇଁ ପାଖାପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଥିଲେ । ଚେନ୍ନାଇରେ ପହଞ୍ଚିବା ପରେ ଏକ ଘରୋଇ କ୍ୟାନ୍ସର ମେଡିକାଲରେ ସିଦ୍ଧାର୍ଥକୁ ଭର୍ତ୍ତି କରି ୮ଟି କେମୋ ଦିଆଗଲା ।

କିନ୍ତୁ କଥାରେ ପରା ଅଛି, ‘କପାଳ ଲିଖନ କେ କରିବ ଆନ’ ।ସିଦ୍ଧାର୍ଥର ଟ୍ୟୁମର ଭଲ ନହେବାରୁ ଚେନ୍ନାଇରେ ଅନ୍ୟ ହସପିଟାଲକୁ ଯାଇ ଦେଖାଇଥିଲେ । ଆଉ ସବୁ ଡାକ୍ତର କହିଲେ ସିର୍ଦ୍ଧାଥର ଲିଭର ୨ ମାସ ଭିତରେ ଟ୍ରାନ୍ସପ୍ଲାଣ୍ଟ ହେବା ଛଡା ଆଉ କୌଣସି ବାଟ ନାହିଁ । ତେଣୁ ବାପା ତ୍ରିନାଥ ଏକ ଘରୋଇ ହସପିଟାଲରେ ପୁଅକୁ ଭର୍ତ୍ତି କରି ନିଜେ ସେଠାରେ ଏକ ଘର ଭଡ଼ା ନେଇ ରହୁଛନ୍ତି । ସିଦ୍ଧାର୍ଥର ଚିକିତ୍ସା ବାବଦରେ ପ୍ରାୟ ୭ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ସରିଲାଣି । ତେବେ ତାକୁ ଭଲ ହେବା ପାଇଁ ଯାହା ଦରକାର, ଅର୍ଥାତ୍‌ ଲିଭର ଟ୍ରାନ୍ସପ୍ଲାଣ୍ଟ, ତାହା ହୋଇ ପାରୁନାହିଁ । କାରଣ ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦରକାର ପ୍ରାୟ ୨୫ ଲକ୍ଷ ଟଙ୍କା । ଏକଥା ଜାଣିବା ପରେ ତ୍ରିନାଥଙ୍କ ପାଦ ତଳୁ ମାଟି ଖସି ଯାଇଛି ।

ଗୋଟିଏ ଗରିବ ପରିବାରର ରୋଜଗାରିଆ ବ୍ୟକ୍ତି ହେଉଛନ୍ତି ତ୍ରିନାଥ ରାୟ । ସେବୁଜି ରାୟଙ୍କୁ ବିବାହ କରିଥିଲେ । ୨୦୧୪ରେ ବଡଝିଅ ଓ ୨୦୨୦ରେ ସାନ ଝିଅ ଏବଂ ବାହାଘରର ୯ ବର୍ଷ ପରେ ଅର୍ଥାତ୍‌ ୨୦୨୨ରେ ପୁଅ ସିଦ୍ଧାର୍ଥ ଜନ୍ମ ନେଲା । ସେ ଠିକା କର୍ମଚାରୀ ଭାବେ ଓଡିଶା ସରକାରଙ୍କ ଅଗ୍ନିଶମ ବାହିନୀରେ କାମ କରିବା ପରେ ବର୍ତ୍ତମାନ ସେ ରେଗୁଲାର କର୍ମଚାରୀ ଭାବେ କୋରାପୁଟ ଜିଲ୍ଲା କୋଟପାଡ଼ ଠାରେ କାମ କରନ୍ତି । ନା ତାଙ୍କ ନିକଟରେ କୌଣସି ସ୍ବାସ୍ଥ୍ୟ ବୀମା ରହିଛି ନା ସ୍ବାସ୍ଥ୍ୟ କାର୍ଡ । ଏପରିକି ଧନର ମଧ୍ୟ ଘୋର ଅଭାବ । ଯାହା ରଖିଥିଲେ ସବୁ ଖର୍ଚ୍ଚ କରି ସାରିଲେଣି ପୁଅର ଚିକିତ୍ସାରେ । ତେଣୁ ସେ ଆମ ମାଧ୍ୟମରେ ସରକାରୀ, ବେସରକାରୀ ସ୍ତରରେ ସାହାଯ୍ୟ ଭିକ୍ଷା କରିଛନ୍ତି ।

ସବୁବେଳେ ସରକାର ଏବଂ ବଦାନ୍ୟ ବ୍ୟକ୍ତି ଏଭଳି ଅସହାୟଙ୍କୁ ସାହାଯ୍ୟ କରି ଆସିଛନ୍ତି । ତେବେ ଆମେ ସାଢେ ୪ କୋଟି ଓଡିଆଙ୍କ ଭିତରୁ ୨୫ ଲକ୍ଷ ଓଡିଆ ଆଗକୁ ଆସି ଟଙ୍କାଟିଏ ବି ସାହାଯ୍ୟ କଲେ ଏଇ କୋମଳ ଶିଶୁ ପୁତ୍ରଟି ତାର ଦ୍ବୀତିୟ ଜନ୍ମଦିନ ପାଳି ପାରିବ । ନିଜକୁ ଅଭାଗା ବାପା ମା ଭାବୁଥିବା ସିଦ୍ଧାର୍ଥଙ୍କ ଜନ୍ମଦାତା ଓ ଜନ୍ମଦାତ୍ରୀ ଖୁସିର ସଂସାର ଗଢ଼ି ପାରିବେ । ଯେଉଁମାନେ ସିର୍ଦ୍ଧାଥକୁ ସହାୟତା ଦେବାକୁ ଚାହୁଁଛନ୍ତି ସେମାନେ ଏହି ଡିଟେଲ୍ସରେ ଯୋଗାଯୋଗ କରନ୍ତୁ ।

ଆକାଉଣ୍ଟଧାରୀଙ୍କ ନାମ – ତ୍ରିନାଥ ରାୟ
Phonepe no – 8763458283
Google pay no – 8763458283
Ac no – 31152948495
IFSC code no- SBIN0000151

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.