ରାଧେଶ୍ୟାମଙ୍କ ପାଇଁ ଗୋଡ଼ ପାଲଟିଛି ବୋଝ, ଚିକିତ୍ସା ଲାଗି ଅର୍ଥ ସାଜିଛି ବାଧକ

ସୁନ୍ଦରଗଡ(କେନ୍ୟୁଜ) : ସୁନ୍ଦରଗଡ ଜିଲ୍ଲା କୁଲଟା ଗାଁର ରାଧେଶ୍ୟାମ ନାୟକ। ବାପା, ମାଆ, ସ୍ତ୍ରୀ ଗୋଟିଏ ଛୋଟ ପୁଅ ହେଉଛି ତାଙ୍କର ପରିବାର । ଦିନେ ମୂଲ ଲାଗିବାକୁ ଯାଇଥିବା ବେଳେ ଗୋଡରେ ଲୁହା ବାଜିଗଲା। କିନ୍ତୁ ଆଘାତକୁ ଗୁରୁତ୍ୱ ନଦେଇ ତାକୁ ସାଧାରଣ ଚିକିତ୍ସା କଲେ ଆଉ ନିଜ କାମରେ ଲାଗି ପଡ଼ିଲେରାଧେଶ୍ୟାମ । ହେଲେ କିଛି ଦିନ ପରେ ଧୀରେ ଧୀରେ ଗୁରୁତର ହେବାରୁ ଆଉ ଚାଲିବା ମୁସ୍କିଲ ହୋଇପଡ଼ିଲା । ବାଧ୍ୟ ହେଲେ ହସ୍ପିଟାଲ ଯିବାକୁ । ଅନେକ ହସ୍ପିଟାଲ ବୁଲିଛନ୍ତି । କିଛି ବି ଲାଭ ହେଲା ନାହିଁ । ଏପଟେ ହାତରୁ ସଞ୍ଚିତ ଅର୍ଥ ସବୁ ସରିଗଲା । ତେଣୁ ଟଙ୍କା ଅଭାବରୁ ଆଉ ଡାକ୍ତର ପାଖକୁ ଗଲେନି କି ଔଷଧ ଖାଇ ପାରିଲେନିରାଧେଶ୍ୟାମ । ଏଭଳି ଅବସ୍ଥାରେ ଗୋଡଟି ଧୀରେ ଧୀରେ ପଚିବା ଆରମ୍ଭ କରିଛି ।

ଘରର ରୋଜଗାରିଆ ପୁଅ ଏବେ ରୋଗଶଯ୍ୟାରେ । ଯିଏ ଦିନେ ପାଞ୍ଚ ପ୍ରାଣୀଙ୍କ ମୁହଁକୁ ଆହାର ମୁଠାଏ ଭାରି କଷ୍ଟରେ ଯୋଗାଉଥିଲା । ଆଜି ସେ ନିଜେ ଅସହାୟ । ଏହି ସମୟରେ ଦେବଦୂତ ସାଜିଲେ ଗାଁର ଜଣେ ବ୍ୟକ୍ତି ପ୍ରଭାତ ଦତ୍ତ। ଯିଏ କି ଭାରତୀୟ ସେନାରେ ପୂର୍ବରୁ କାର୍ଯ୍ୟରତ ଥିଲେ ଆଉ ଏବେ ସାମାଜିକ କାର୍ଯ୍ୟ କରୁଛନ୍ତି । ପ୍ରଭାତ ଦତ୍ତ ନାମକ ଏହି ବ୍ୟକ୍ତି ଜଣକ ରାଧେଶ୍ୟାମଙ୍କୁ ସୁନ୍ଦରଗଡରୁ ଆଣି ଆମକୁ ଭେଟ କରାଇଥିଲେ । ଅବସରପ୍ରାପ୍ତ ସେନା କର୍ମଚାରୀ ପ୍ରଭାତ ଏବେ ସାମାଜିକ କର୍ମୀ ଭାବେ କାମ କରୁଛନ୍ତି । ତାଙ୍କରି ସହାୟତାରେ ପିପିଲି ଠାରୁ ୧୩ କିମି ଦୂର The Trust ନାମକ ଏକ ଚିକିତ୍ସାଳୟରେ ରାଧେଶ୍ୟାମଙ୍କର ଚିକିତ୍ସା ଚାଲିଛି । ହେଲେ ଚିକିତ୍ସା ଫଳପ୍ରଦ ହେଉ ନାହିଁ । ଆହୁରି ଭଲ ଚିକିତ୍ସାର ଆବଶ୍ୟକତା ରହିଛି । ଏପଟେ ଚିକିତ୍ସା ବାବଦରେ ପାଣି ଭଳି ଟଙ୍କା ଖର୍ଚ୍ଚ ଚାଲିଛି । କେଉଁଠୁ ଟଙ୍କା ଆଣିବେ ଆଉ କେମିତି ଭଲ ହେବେ ସେହି ଚିନ୍ତାରେ ରାଧେଶ୍ୟାମଙ୍କ ପୂରା ପରିବାର ।

ମାତ୍ର ୩୦ କି ୩୨ ବର୍ଷ ବୟସରେ ଅକର୍ମଣ୍ୟ ହୋଇପଡ଼ିଛନ୍ତି ରାଧେଶ୍ୟାମ। ତାଙ୍କ ଗୋଡ଼ର ଯନ୍ତ୍ରଣା ପାଲଟିଛି ତାଙ୍କ ଭାଗ୍ୟ ପାଇଁ ବୋଝ । ଗୁମୁରି ଗୁମୁରି କାନ୍ଦିବା ଛଡ଼ା ଯେମିତି ତାଙ୍କ ପାଖରେ ଆଉ କିଛି ବାଟ ହିଁ ନାହିଁ । ସେହି କୋହ ଭରା କଣ୍ଠରେ କେହି ଟିକେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । କାରଣ ତାଙ୍କୁ ସିନା ଚିକିତ୍ସା ଦରକାର ତା ସହିତ ପରିବାର ପେଟକୁ ବି ଦରକାର ଦାନା ଗଣ୍ଡିଏ । ତେବେ ଏସବୁ ଭିତରେ ତାଙ୍କର ସବୁଠାରୁ ବଡ଼ ଦୁଃଖ ହେଉଛି ନିଜର ଏ ସ୍ଥିତି ପାଇଁ ସେ ନିଜକୁ ହିଁ ଦୋଷୀ ମଣୁଛନ୍ତି । ନିଜର କୁନି ପୁଅଟିକୁ ଗେଲ କରି ପାରୁ ନାହାନ୍ତି । ତାକୁ କୋଳକୁ ଆଣି ପାରୁନାହାନ୍ତି । ଖାଲି ଦୂରରୁ ଦେଖି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ରାଧେଶ୍ୟାମ । ତେବେ କଥାରେ ପରା ଅଛି, ଯାହାର କେହି ନାହାନ୍ତି ତା ଲାଗି ଈଶ୍ୱର ଅଛନ୍ତି । ସେହି ନ୍ୟାୟରେ ଏଇ ଜନତା ହିଁ ପାଲଟିବେ ରାଧାଶ୍ୟାମଙ୍କ ଭଗବାନ । ଜଣେ ଉଦ୍ୟମୀ ଯୁବକ, ପରିବାରର ମୁଖିଆ ସେ । ତାଙ୍କ ପାଇଁ ଆପଣଙ୍କ ସାହାଯ୍ୟ ବହୁମୂଲ୍ୟ ହେବ । ଚିକିତ୍ସା ହେଲେ ସେ ଭଲ ହୋଇ ପୁଣି ନିଜ ପରିବାର ଚଳାଇବେ ବୋଲି ଆଶା ରଖିଛନ୍ତି ।

ତେଣୁ ଆପଣମାନଙ୍କୁ ଅନୁରୋଧ, ଆପଣମାନେ ଯଦି ଟିକିଏ ସହଯୋଗର ହାତ ବଢାନ୍ତେ ତେବେ ଗୋଟିଏ ଅସହାୟ ପରିବାର ମୁହଁରେ ପୁଣି ହସ ଫୁଟି ପାରନ୍ତା । ସହାୟତା ପାଇଁ ଯୋଗାଯୋଗ କରନ୍ତୁ…

NAME-RADHESHYAM NAIK
SBI AC NO-38188541068
IFSC CODE-SBIN0017965
AT/PO-KULUTA
DHARUADIHI
SUNDARGARH

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.