କିଏ ଏ ମହିଳା? ଦୁଇ ମାସ ହେଲା ଯାତ୍ରୀ ବିଶ୍ରାମାଗାରରେ ଅସୁରକ୍ଷିତ ଭାବେ ପଡି ରହିଛନ୍ତି
ଛତ୍ରପୁର(କେନ୍ୟୁଜ୍): କିଛି ଯେମିତି ବୁଝି ପାରୁନାହାନ୍ତି, କଣ କହିବେ ଜାଣି ପାରୁନାହାନ୍ତି । ବିକଳ ହୋଇ ଏଣେ ତେଣେ ଅନାଉଛନ୍ତି। ତାଙ୍କ ବିକଳ ଆଖିକୁ ଦେଖି ସମସ୍ତଙ୍କ ହୃଦୟ ତରଳି ଯାଉଛି। ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ଦେଖିବାକୁ ମିଳିଛି ଏଭଳି ଦ୍ରୁଶ୍ଯ। ଯେଉଁଠି ଜଣେ କଥା କହିପାରୁନଥିବା ମହିଳା ଅସହାୟ ଅବସ୍ଥାରେ ଆଜକୁ ଦୁଇ ମାସ ହେଲା ଯାତ୍ରୀ ବିଶ୍ରାମାଗାରରେ ପଡିରହିଛନ୍ତି। କାହାରି ପାଖରେ ହାତ ନ ପତେଇ, ଯିଏ ଯାହା ଦେଲା ତାକୁ ଖାଇ ଜୀବନ ଅତିବାହିତ କରୁଛନ୍ତି ।
ଛତ୍ରପୁର ନିକଟ ଜାତୀୟ ରାଜପଥ ପାର୍ଶ୍ବ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ନିକଟ ଯାତ୍ରୀ ବିଶ୍ରାମାଗାର ଠାରେ ଆଜକୁ ପ୍ରାୟ ଦୁଇ ମାସ ହେଲା ପଡି ରହିଛନ୍ତି ଜଣେ ମହିଳା । ମହିଳା ଜଣକ କିଛି କଥା କହିପାରୁନାହାନ୍ତି । ରାସ୍ତାରେ ଯିବା ଆସୁଥିବା ଲୋକେ ତାଙ୍କୁ କିଛି ଟଙ୍କା ଓ ଖାଦ୍ୟ ସାମଗ୍ରୀ ଆଣି ଦେଉଛନ୍ତି । ଆଉ ତାକୁ ଖାଇ ସେ ଦୁଇ ମାସ ହେଲା ଗୋଟିଏ ସ୍ଥାନରେ ହିଁ ଖାଇ ପିଇ ସେଠାରେ ଅସୁରକ୍ଷିତ ଭାବେ ଶୋଇ ରହୁଛନ୍ତି । ଏଣୁ ତାଙ୍କୁ ଉଦ୍ଧାର କରି ତାଙ୍କୁ ଏକ ବାସସ୍ଥଳୀ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।
ମହାବିଦ୍ୟାଳୟ ପାର୍ଶ୍ବ ଏହି ଯାତ୍ରୀ ବିଶ୍ରାମାଗାରଟି ରହିଥିବାରୁ ପ୍ରତ୍ୟେକ ଦିନ ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନେଆଣିଥିବା ଟିଫିନ ରୁ କିଛି ଖାଦ୍ୟ ଏହି ଅସହାୟ ମୁକ ମହିଳାଙ୍କୁ ଖାଇବା ପାଇଁ ଦେଉଛନ୍ତି । ଏହା ବ୍ଯତୀତ ସେହି ରାସ୍ତା ଦେଇ କାର୍ମେଳ ସ୍କୁଲ, ବଜରଙ୍ଗୀ ନଗର ଓ ଜେଲ ରହିଥିବାରୁ ଲୋକଙ୍କ ଯାତାୟତ ବହୁ ପରିମାଣର ହୋଇଥାଏ। ଫଳରେ ତାଙ୍କୁ ଦୁଇ ଓଳା କିଛି କିଛି ଖାଦ୍ୟ ସାମଗ୍ରୀ ତ ମିଳିଯାଇଥାଏ ହେଲେ, ରହିବା ପାଇଁ କୌଣସି ସୁରକ୍ଷିତ ସ୍ଥାନ ନାହିଁ । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଆଜି ପର୍ଯ୍ଯନ୍ତ କାହାକୁ ହାତ ପତେଇ ନାହାନ୍ତି ସେ ଅସହାୟ ମହିଳା ଜଣକ । ଯିଏ ଯାହା ଦେଲା ଖୁସିରେ ଗ୍ରହଣ କରନ୍ତି ।
ସେ କୋଉ ଅଂଚଳର ତାହା ସଠିକ୍ ଭାବେ ଜଣାପଡିନଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅସହାୟ ମହିଳାଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରିବା ନିମନ୍ତେ ୯ନମ୍ବର ୱାର୍ଡ କାଉନସିଲର ପ୍ରୀତିଛନ୍ଦା ସାମଲ ଦାବି କରିଛନ୍ତି । ଅନ୍ଯପଟେ ଏନେଇ ସୂଚନା ପାଇ ଏପିଜେ ଅବଦୁଲ କଲାମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଟ୍ରଷ୍ଟର ଅଧ୍ୟକ୍ଷ ପୁର୍ଣ ଚନ୍ଦ୍ର ବେହେରାଙ୍କ ସମେତ ବହୁ ସଦସ୍ଯ ପହଞ୍ଚି ତାଙ୍କ ଖାଦ୍ୟ ପାନୀୟ ବ୍ଯବସ୍ଥା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ଙ୍କ ସହ ଆଲୋଚନା କରିବା ପରେ ପ୍ରଶାସନ ତରଫରୁ ଉପଯୁକ୍ତ ଥଇଥାନ କରିବା ଲାଗି ଦାବି କରିଛନ୍ତି । ତେବେ ସ୍ଥାନୀୟ ପ୍ରଶାସନ କେବେ ଏହି ଅସହାୟ ମହିଳାଙ୍କୁ ଉଦ୍ଧାର କରି ଥଇଥାନ କରୁଛି ତାହା ଦେଖିବାକୁ ବାକି ରହିଲା।