ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଆଶ୍ବସ୍ତି, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ

କେନ୍ୟୁଜ୍(ବ୍ୟୁରୋ):ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ଓଡିଶା ହାଇକୋର୍ଟ। ତଦନ୍ତକାରୀ ଅଧିକାରୀ ଯେତେବେଳେ ଚାହିଁବେ ସେତେବେଳେ ତାଙ୍କ ନିକଟରେ ହାଜର ହେବେ ପ୍ରଶାନ୍ତ। ତଦନ୍ତକାରୀ ଅଧିକାରୀଙ୍କୁ ତଦନ୍ତରେ ସମସ୍ତ ପ୍ରକାର ସହଯୋଗ କରିବେ। ଅଭିଯୋଗକାରୀ କିମ୍ବା ସାକ୍ଷୀମାନଙ୍କୁ ଧମକ ଚମକ ଦେବେ ନାହିଁ। ଏଭଳି ସର୍ତ୍ତ ରଖିଛନ୍ତି ଓଡିଶା ହାଇକୋର୍ଟ। ଏହା ବ୍ୟତୀତ ତଳକୋର୍ଟ ଚାହିଁଲେ ଅନ୍ୟାନ୍ୟ ସର୍ତ୍ତ ରଖି ପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ପୂର୍ବରୁ ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା ।

ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଏନଏସିରେ ଆବାସ ଯୋଜନା ବାଣ୍ଟିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ବାଲୁଗାଁ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିବା ସହ ଜାତିଆଣ ଆକ୍ଷେପ ନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ଆଗୁଆ ଜାମିନକୁ ଅଗ୍ରାହ୍ୟ କରି ଦେଇଥିଲେ। ଘଟଣାରେ ବିଧାୟକ ଫେରାର ରହି ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରିଥିଲେ ।

ହେଲେ ଉଚ୍ଚ ନ୍ୟାୟାଳୟ ତାଙ୍କୁ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ ବିଧାୟକ ପ୍ରଶାନ୍ତ ଜଗଦେଵ ।ଆବେଦନ ଖାରଜ ହେବା ପରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଜେଲ ଯିବାକୁ ପଡ଼ିଥିଲା।

You might also like