ସିବିଆଇ ମାମଲା ରଦ୍ଦ ନେଇ ପ୍ରଭାତ ବିଶ୍ୱାଳଙ୍କ ଦାୟର ଆବେଦନର ହାଇକୋର୍ଟର ଶୁଣାଣି ଘୁଞ୍ଚିଲା

କଟକ(କେନ୍ୟୁଜ୍): ସିବିଆଇ ମାମଲା ରଦ୍ଦ ନେଇ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଦାୟର କରିଥିବା ଆବେଦନର ହାଇକୋର୍ଟର ଶୁଣାଣି ଘୁଞ୍ଚିଛି । ଜଷ୍ଟିସ୍‌ ବିଭୁପ୍ରସାଦ ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା । ଖଣ୍ଡପୀଠ ଅନୁମତି ଦେବା ସହ ୨୦୨୩ ଜାନୁଆରୀ ୫ ତାରିଖକୁ ମାମଲାର ପରର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

ସିସୋର ଚିଟଫଣ୍ଡ ମାମଲାରେ ସମ୍ପୃକ୍ତି ଅଭିଯୋଗ ନେଇ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ । ସିବିଆଇ ତାଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିବା ପରେ ୨୦୧୯ ସେପ୍ଟେମ୍ବର ୧୭ରେ ନିମ୍ନ ଅଦାଲତ ତାଙ୍କ ବିରୋଧରେ କଗନିଜାନସ୍‌ ଗ୍ରହଣ କରିଥିଲେ। ତାଙ୍କ ବିରୋଧରେ ଥିବା ସିବିଆଇ ମାମଲା ରଦ୍ଦ ପାଇଁ ୨୦୧୯ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏହାସହ ତାଙ୍କ ଆବେଦନକୁ ସିବିଆଇ ପକ୍ଷରୁ ବିରୋଧ କରାଯାଇଛି। ଏହି ମାମଲାରେ ଏପର୍ଯ୍ୟନ୍ତ ହାଇକୋର୍ଟ କୌଣସି ଅନ୍ତରୀଣ ରହିତାଦେଶ ବା ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ପ୍ରଦାନ କରିନାହାନ୍ତି । ଫଳରେ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଚାଲିବାରେ କୌଣସି ବାଧା ନାହିଁ। ସିବିଆଇ ପକ୍ଷରୁ ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.