ୟୁକ୍ରେନ ନାଟୋରେ ସାମିଲ ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚୟ : ରୁଷ୍‌ ସୁରକ୍ଷା ପରିଷଦ ଉପସଚିବ ଆଲେକଜାଣ୍ଡର ଭେନେଦିକୋଭ୍‌ଙ୍କ ଚେତାବନୀ

ନୂଆଦିଲ୍ଲୀ : ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ କିଛି ଦିନ ହେଲା ରୁଷିଆ ଅଧିକ ଆକ୍ରାତ୍ମକ ହୋଇ ଲଗାତର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ଚେଷ୍ଟା ଚଳାଇଛି। ଏଭଳି ସ୍ଥିତିରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ନେଇ ରୁଷିଆ କଡ଼ା ପ୍ରତିକ୍ରିୟା ରଖିଛି। ଏହା ପୂର୍ବରୁ ରୁଷିଆ ଅନେକଥର ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ବୋଲି ଧମକ ଦେଇସାରିଛି। ହେଲେ ପ୍ରଥମ ଥର ରୁଷିଆ ସିଧାସଳଖ ତୃତୀୟ ବିଶ୍ୱଯୁଦ୍ଧ ହେବା ନେଇ ଧମକ ଦେଇଛି।

ଅନ୍ୟପଟେ ଯଦି ୟୁକ୍ରେନ ନାଟୋ ମେଣ୍ଟରେ ସାମିଲ ହୁଏ ତାହେଲେ ବିଶ୍ୱଯୁଦ୍ଧ ନିଶ୍ଚିତ ବୋଲି କହିଛନ୍ତି ରୁଷ୍‌ ସୁରକ୍ଷା ପରିଷଦ ଉପସଚିବ ଆଲେକଜାଣ୍ଡର ଭେନେଦିକୋଭ୍‌ । ଏସମ୍ପର୍କରେ ୟୁକ୍ରେନକୁ ସବୁ ଜଣା ଅଛି । ସବୁ ଜାଣି ସୁଦ୍ଧା ଯଦି ଏହା କରାଯାଏ ତେବେ ପରିଣାମ ଭୋଗିବାକୁ ପଡିବ ବୋଲି ଟାସ୍‌କୁ ଏକ ସାକ୍ଷାତକାରରେ କହିଛନ୍ତି । ତେବେ ଏଭଳି ପରିଣାମ ପାଇଁ ନିଜେ ନାଟୋ ଓ ସଦସ୍ୟ ଦେଶମାନେ ବୋଲି ପୁଟିନଙ୍କ ନିକଟତମ କୁହାଯାଉଥିବା ଆଲେକଜାଣ୍ଡାର କହିଛନ୍ତି। ରୁଷିଆର ଏଭଳିି ଧମକ ସେହି ସମୟରେ ଆସିଛି ଯେତେବେଳେ ୟୁକ୍ରେନର ଅନେକ ଅଞ୍ଚଳରେ ରୁଷିଆ ବୋମା ବର୍ଷା କରୁଛି।

ରୁଷ୍‌ କେବଳ ୟୁକ୍ରେନ ନୁହେଁ ବରଂ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ଧମକ ଦେଇଛି । ଆମେରିକା ସମେତ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଯୋଗାଉଥିବାରୁ ସ୍ଥିତି ଗମ୍ଭୀର ହେଉଛି । ଏଥିପାଇଁ ସେମାନେ ଆଂଶିକ ଭାବେ ଦାୟୀ ବୋଲି କହିଛି ରୁଷ୍‌ । ରୁଷରୁ ଏଭଳି ଧମକକୁ ନେଇ ବିଶ୍ୱଯୁଦ୍ଧର ଆଶଙ୍କା ବଢିଛି । ରୁଷର ଚେତାବନୀକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ମଧ୍ୟ ରୁଷ୍‌କୁ ସତର୍କ କରିଦିଆଯାଇଛି । ଯଦି ଆଗକୁ ରୁଷ୍‌ ଅଣୁ ଅସ୍ତ୍ର ବ୍ୟବହାର କରେ ତେବେ ଭୟଙ୍କର ପରିଣାମ ଭୋଗିବ । ଅନ୍ୟପଟେ ୟୁକ୍ରେନକୁ ନାଟୋରେ ସାମିଲ କରିବା ନେଇ ବହୁ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ ସପକ୍ଷରେ ଛିଡା ହୋଇଛନ୍ତି। ଏଭଳି ସ୍ଥିତିରେ କେଉଁ ମୁହୂର୍ତ୍ତରେ ରୁଷ-ୟୁକ୍ରେନ ଯୁଦ୍ଧ ବିଶ୍ୱଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା ବଢିଛି।

ଏପଟେ କ୍ରିମିଆ ବ୍ରିଜରେ ବିସ୍ଫୋରଣ ପରେ ରକ୍ତମୁଖା ପୁଟିନ । ୟୁକ୍ରେନର କିଛି ସହରରେ ମିସାଇଲ ମାଡ କରୁଛି ପୁଟିନ ସେନା । ସୁଖୋଇ ୨୫ ବିମାନରୁ ବର୍ଷୁଛି ବୋମା । ଆକ୍ରମଣ ବେଳର ଭିଡିଓକୁ ପୋଷ୍ଟ କରିଛି ରୁଷ ପ୍ରତିରକ୍ଷା ମନ୍ତ୍ରାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.