କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି ? ଆଜି ହାଇକୋର୍ଟରେ ହେବ ଶୁଣାଣି

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ରାଜ୍ୟରେ କମିବ କି ସ୍କୁଲ ଫି ? ଓଡିଶା ହାଇକୋର୍ଟରେ ଆଜି ହେବ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶୁଣାଣି । ଓଡିଶା ଅବିଭାବକ ମହାସଂଘ କରୋନା ପାଇଁ ଘରୋଇ ବିଦ୍ୟାଳୟ ଗୁଡିକ ଫି ଛାଡ଼ କରିବାକୁ ହାଇକୋର୍ଟରେ ରୁଜୁ କରିଛି ମାମଲା । ଗତ ୧ ତାରିଖରେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଏହାର ଅପୋଷ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ, ସ୍କୁଲ କର୍ତ୍ତୃପକ୍ଷ, ଶିକ୍ଷକ ସଂଘ ଓ ଅବିଭାବକ ମହାସଂଘର ମିଳିତ ବୈଠକ ଆୟୋଜନ ହୋଇଥିଲା । ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ କିଛି ପ୍ରତିଶତ ସ୍କୁଲ ଫି କମାଇ ଦେବାକୁ ସ୍କୁଲ ଗୁଡିକୁ ଅନୁରୋଧ କରିଥିଲେ । ବୈଠକରେ ସକରାତ୍ମକ ଆଲୋଚନା ମଧ୍ୟ ହୋଇଥିଲା । ବୈଠକରେ ବାହାରିଥିବା ନିର୍ଯ୍ୟାସ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଉପସ୍ଥାପିତ ହେବା କଥା ।

ଗତ ୧୪ ତାରିଖରେ ଏହି ମାମଲାର ଶୁଣାଣି ସମୟରେ ରିପୋର୍ଟ ଦାଖଲ କରିବାକୁ ଥିବା ସରକାରୀ ବ୍ୟକ୍ତି କରୋନା ଆକ୍ରାନ୍ତ ଯୋଗୁଁ ରିପୋର୍ଟ ଦାଖଲ କରି ପାରିନଥିଲେ । ୨୨ ତାରିଖ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ଦାଖଲ ପରେ ହାଇକୋର୍ଟ ଟିଉସନ ଫି’ର କିଛି ପ୍ରତିଶତ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଚାର୍ଜ କମାଇଦେବାକୁ ନିର୍ଦ୍ଦେଶ ଦେଇ ପାରନ୍ତି ବୋଲି ଆଶା କରାଯାଉଛି । ତେବେ ସ୍କୁଲ ଫି’ରେ କେତେ ପ୍ରତିଶତ କମିବ, ତାହା ଆଜିର ଶୁଣାଣି ପରେ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.