କାହିଁକି ଖୋଲୁ ନାହିଁ ମନ୍ଦିର ? ଏସବୁ ରହିଛି ମୁଖ୍ୟ କାରଣ

କେନ୍ୟୁଜ୍‌: କରୋନା କାୟା ଭିତରେ ରାଜ୍ୟରେ ବନ୍ଦ ରହିଛି ଧାର୍ମିକ ଅନୁଷ୍ଠାନ । କାହିଁକି ଖୋଲୁ ନାହିଁ ମନ୍ଦିର ? ହାଇକୋର୍ଟରେ ସତ୍ୟପାଠ ଜରିଆରେ ଏସମ୍ପର୍କିତ ମାମଲାରେ ପକ୍ଷ ରଖିଛନ୍ତି ରାଜ୍ୟ ସରକାର । ସତ୍ୟପାଠରେ ଦର୍ଶାଇଛନ୍ତି, ମନ୍ଦିର ଭିତରେ ସାମାଜିକ ଦୂରତା ରଖିବା କଠିନ ହୋଇଯିବ । ବିଶେଷକରି ଗର୍ଭଗୃହ ଭିତରେ ସାମାଜିକ ଦୂରତା ରହିବ ନାହିଁ । ରାଜ୍ୟରେ ହଜାର ହଜାର ମନ୍ଦିର ରହିଛି । ଗାଁ ଗାଁରେ ଅଛି ମନ୍ଦିର । ସବୁ ସ୍ଥାନରେ ପୋଲିସ ବ୍ୟବସ୍ଥା କରିବା କଷ୍ଟସାଧ୍ୟ ହେବ । ଏମିତିରେ ବି ପୋଲିସ ଉପରେ ଅଧିକ ଚାପ ରହିଛି । ମନ୍ଦିର ଖୋଲି ନଥିଲେ ବି ସମସ୍ତ ନୀତିକାନ୍ତି ଚାଲିଛି । ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ ଅନେକ ସେବାୟତ ଓ ପୂଜକ କରୋନା ସଂକ୍ରମିତ ହୋଇଛନ୍ତି । ଏଭଳି ସ୍ଥିତିରେ ଧର୍ମାନୁଷ୍ଠାନ ଖୋଲାଗଲେ ଅନ୍ୟ ସମସ୍ତେ ଆକ୍ରାନ୍ତ ହେବେ। ଏହାଦ୍ୱାରା ବାଧାପ୍ରାପ୍ତ ହେବ ନୀତିକାନ୍ତି । ମନ୍ଦିରକୁ ବରିଷ୍ଠ ନାଗରିକ ଗଲେ ସଂକ୍ରମିତ ହେବା ଆଶଙ୍କା ରହିଛି ।

ସତ୍ୟପାଠରେ ରାଜ୍ୟ ସରକାର ଦର୍ଶାଇଛନ୍ତି, ଜୁନ୍-ଜୁଲାଇରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ସେତେବେଳେ ଚିହ୍ନଟ ହୋଇଥିଲେ ମାତ୍ର ୬ ଜଣ ପଜିଟିଭ୍ । ଅଗଷ୍ଟ ୨୬ରୁ ସେପ୍ଟେମ୍ବର ୨୩ ତାରିଖ ଭିତରେ ସେବାୟତ ଓ ମନ୍ଦିର ପ୍ରଶାସନ କର୍ମର୍କତ୍ତାଙ୍କୁ ମିଶାଇ ୮୨୨ କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିରୁ ୩୭୯ ରିପୋର୍ଟ ଆସିଥିଲା ପଜିଟିଭ୍ । ଏମାନଙ୍କ ଭିତରେ ୩୩୨ ସେବାୟତ ଓ ୪୭ ଜଣ ମନ୍ଦିର କର୍ମଚାରୀ ଅଛନ୍ତି । ଏହା ସତ୍ତ୍ୱେ ଶ୍ରୀମନ୍ଦିରରେ ଚାଲିଛି ନୀତିକାନ୍ତି । ଅଧିକ ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହେଲେ ନୀତିକାନ୍ତି ବାଧାପ୍ରାପ୍ତ ହେବ । ତେଣୁ ମନ୍ଦିର ଖୋଲିବା ନେଇ ଯେଉଁ କଟକଣା ଜାରି ହୋଇଛି, ତାହା ଅସାମ୍ବିଧାନିକ ନୁହେଁ କି ମନଇଛା କରାଯାଇ ନାହିଁ । ବୃହତର ଜନସ୍ୱାର୍ଥ ଦୃଷ୍ଟିରୁ ଏହି କଟକଣା ଲଗାଯାଇଛି ।

ଏନେଇ ରାଜ୍ୟ ସରକାର କହିଛନ୍ତି, ଜିମ୍ ଓ ମଲ୍ ଖୋଲିଯାଇଛି । ଏହାସହ ମନ୍ଦିର ଖୋଲିବାକୁ ତୁଳନା କରିବା ଠିକ୍ ନୁହେଁ । ଜିମ୍ ଓ ମଲ୍ ଖୋଲିବା ଜୀବିକାର କଥା ଆସୁଛି । ଅନ୍ୟ ରାଜ୍ୟର ଉଦାହରଣ ଦେଇ ସରକାର କହିଛନ୍ତି, ଆନ୍ଧ୍ରରେ ଭେଙ୍କଟେଶ୍ୱର ମନ୍ଦିର ଖୋଲାଯାଇଛି । ୧୧ ଜୁନ୍ରେ ମନ୍ଦିର ଖୋଲିବା ପରେ ସେଠାରେ ୭ଶହ ସଂକ୍ରମିତ ହୋଇଛନ୍ତି । ଏଭଳି ସ୍ଥିତିରେ ମନ୍ଦିର ନଖୋଲିବାକୁ ନିଷ୍ପତ୍ତି ନେଇଥିବା ହାଇକୋର୍ଟଙ୍କ ଅବଗତ କରାଇଛନ୍ତି ସରକାର । ଆସନ୍ତା ସପ୍ତାହରେ ମାମଲା ପରବର୍ତ୍ତୀ ଶୁଣାଣି ହେବ ।

Leave A Reply

Your email address will not be published.