ଖୁବ୍ ଶୀଘ୍ର ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେବ ବନ୍ୟା ଜଳ, ପ୍ରକ୍ରିୟା ଆରମ୍ଭ କଲେ ବନ୍ଧ କର୍ତ୍ତୃପକ୍ଷ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବନ୍ଧ କର୍ତ୍ତୃପକ୍ଷ । ଆସନ୍ତା ଜୁନ ଏକ ତାରିଖ ପରେ ଯେକୌଣସି ସମୟରେ ସ୍ଥିତିକୁ ଦେଖି ମହାନଦୀରେ ବନ୍ୟା ଜଳ ନିଷ୍କାସନ କରାଯିବ । ବନ୍ୟା ଜଳ ନିଷ୍କାସନ ସମୟରେ ମହାନଦୀ ଅବବାହିକାକୁ ଯେପରି ସମ୍ପୂର୍ଣ୍ଣ ଖାଲି ରଖାଯିବ, ମହାନଦୀ ଉଭୟ ପାର୍ଶ୍ୱର ବନ୍ଧ ଯେପରି ସୁରକ୍ଷିତ ରହିବ ସେଥିପ୍ରତି ଯଥେଷ୍ଟ ଯତ୍ନବାନ ହେବାକୁ ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ରାଜ୍ୟ ଜଳସମ୍ପଦ ବିଭାଗ ସହିତ ସମସ୍ତ ଜିଲ୍ଲାପାଳ ମାନଙ୍କୁ ସୂଚନା ଦେଇଛନ୍ତି ।

ବନ୍ୟା ଜଳ ନିଷ୍କାସନ ସମୟରେ ଧନ ଜୀବନ ଉପରେ ଯେପରି ପ୍ରଭାବ ନପଡ଼େ ସେଥିପ୍ରତି ବର୍ତ୍ତମାନ ଠାରୁ ବିଭିନ୍ନ ବିଭାଗ ସଜାଗ ରହିବାକୁ ପତ୍ରରେ ସୂଚନା ଦିଆଯାଇଛି । ଜୁନ ୧ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ମହାନଦୀ ଅବବାହିକା ରେ ଯେପରି ଅବାଧ ଚଳପ୍ରଚଳ ବନ୍ଦ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ମାନଙ୍କୁ କୁହାଯାଇଛି ।

ତେବେ ପ୍ରଥମ ପର୍ଯ୍ୟାୟରେ କେତୋଟି ଗେଟ ଖୋଲାଯିବ ଓ କେଉଁ ଦିନ ଗେଟ ଖୋଲାଯିବ ତାହା ଖୁବଶୀଘ୍ର ସୂଚନା ଦିଆଯିବ ବୋଲି ଡ୍ୟାମ କର୍ତ୍ତୃପକ୍ଷ କହିଛନ୍ତି । ଗତବର୍ଷ ଜୁନ ଦ୍ବିତୀୟ ସପ୍ତାହରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ହୀରାକୁଦ ଜଳଭଣ୍ଡାରରେ ବର୍ତମାନ ୬୦୪ ଫୁଟ ପାଣି ରହିଛି । ଜୁନ ୧୫ ସୁଦ୍ଧା ଜଳଭଣ୍ଡାର ରେ ୫୯୦ ଫୁଟ ପାଣି ରହିବା କଥା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.