ଭଦ୍ରକ: ଗୃହରକ୍ଷୀକୁ ମାଡ ମାରିବା ଘଟଣାକୁ ୧ମାସ ପୁରିଲାଣି, କିନ୍ତୁ ପୋଲିସ ହାତ ଖାଲି,ଗୃହରକ୍ଷୀଙ୍କ ପରିବାର ଚାନ୍ଦବାଲି ଥାନା ସମ୍ମୁଖରେ ଧାରଣା

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାର ଅଧିନରେ ଜଣେ କାର୍ଯ୍ୟରତ ଗୃହରକ୍ଷୀକୁ ମାଡ ମାରିବା ଘଟଣାକୁ ୧ମାସ ପୁରିଲାଣି ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇପାରିଲାନାହିଁ । ତେଣୁ ଏହାର ପ୍ରତିବାଦ କରି ଗୃହରକ୍ଷୀଙ୍କ ସହ ତାଙ୍କ ପରିବାର ଚାନ୍ଦବାଲି ଥାନା ସମ୍ମୁଖରେ ଧାରଣାରେ ବସିବା ସହ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପୋଲିସର ନିରବତାକୁ ବିରୋଧ କରି ପ୍ରତିବାଦ କରିଛନ୍ତି । ତାହାସହ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି ଗୃହରକ୍ଷୀଙ୍କ ପରିବାର ।
ସୂଚନା ଯୋଗ୍ୟ ଯେ , ଗତମାସ ୨୦ ତାରିଖରେ ଚାନ୍ଦବାଲି ସଦର ବଜାରରେ ଏକ ଦୋକାନ ଉପରକୁ ବୋମା ମାଡ଼ ଘଟଣାରେ କାଣ୍ଡଗରଡ଼ି ପଞ୍ଚାୟତ ବାଲୁକୁରୀ ଗାଁକୁ ଅଭଯୁକ୍ତଙ୍କ ଘର ଦେଖାଇବା ପାଇଁ କାର୍ଯ୍ୟରତ ହୋମଗାଡ଼ ରମେଶ ମହାଳିକଙ୍କୁ ସାଥିରେ ଧିରି ନେଇ ଯାଇଥିଲେ ଚାନ୍ଦବାଲି ଥାନା ଅଧିକାରୀ । ଏହି ଘଟଣାରେ ପୋଳିସ ତଦନ୍ତ କରି ଫେରିବା ପରେ ୨୭ ତାରିଖରେ ବାଲିକୁରିଗାଁର ଦିବାକର ନାୟକଙ୍କ ପୁଅ ଅଭିଯୁକ୍ତ ଆଲୋକ ନାୟକ କାର୍ଯ୍ୟରତ ହୋମଗାର୍ଡଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଅକ୍ରମଣ କରିଥିଲେ । ମାଡ଼ ଖାଇବା ପରେ ହୋମଗାର୍ଡ଼ ଚାନ୍ଦବାଲି ଥାନାରେ ଗତମାସ ୨୭ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ଗୋଟିଏ ମାସ ହେବ ପୋଲିସ ଏହି ଘଟଣାରେ ହାତବାନ୍ଦି ବସିଛି । ଏଥିନେଇ ନ୍ୟାୟ ଦାବୀ କରି ସଂପୃକ୍ତ ଗୃହରକ୍ଷୀଙ୍କୁ ମାଡ଼ ପ୍ରତିବାଦରେ ଆଜି ଗୃହରକ୍ଷୀଙ୍କ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନ୍ୟାୟ ଦାବୀ କରିଛନ୍ତି ।