Below header

କେଉଁଝର: ବାଂଶପାଣି ଅଞ୍ଚଳରୁ ବିପୁଳ ପରିମାଣରେ ଲୁହାପଥର ଜବତ କଲା ଖଣି ବିଭାଗ

କେଉଁଝର(କେନ୍ୟୁଜ୍): ଯୋଡା ଖଣି ମଣ୍ଡଳ ଅଧିନରେ ଥିବା ବାଂଶପାଣି ଅଞ୍ଚଳର ଅବସ୍ଥିତ ଇନ୍ଦୁ ଇନଗଟ ପ୍ରାଃ ଲିଃ ନାମକ ଏକ ବନ୍ଦ କ୍ରସରରୁ ଖଣି ବିଭାଗ ଏବଂପୋଲିସ ବିଭାଗ ମିଳିତ ଚଢାଉ କରି ବିପୁଳ ପରିମାଣର ଲୁହାପଥର ଜବତ କରିଛି । ପ୍ରାୟ ୪ଶହ ମେଟ୍ରିକ ଟନ୍ ଉଚ୍ଚ ମାନର ଲୁହାପଥର ଗୁଣ୍ଡ ସହିତ ୩୦ ଟନ୍ ପରିମାଣର ମଧ୍ୟମ ଧରଣର ଲୁହାପଥର ଜବତ କରି ଏହାକୁ ବାଂଶପାଣିସ୍ଥିତ ଓଡିଶା ମାଇନିଙ୍ଗ କର୍ପୋରେସନ (ଓଏମ୍‌ସି) ଷ୍ଟକ ୟାର୍ଡରେ ଗଚ୍ଛିତ ରଖାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଉଛି । ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକ  ସଲିଳ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ କନିଷ୍ଠ ଖଣି ଅଧିକାରୀ ଏସ.କେ. ରାଉତ, ଏସ.କେ. ସାମଲ, କଳାକର ବେହେରା, ଖଣି ଅଧିକାରୀ ଦୀପକ କୁମାର ଧିରୁଆ, ସହକାରୀ ସର୍ଭେୟର ଡି. ମାଝି ଏବଂ ଯୋଡା ଥାନା ପକ୍ଷରୁ ଏଏସଆଇ ଯଦୁମଣୀ ଭୋଇ ପ୍ରମୁଖ ସାମିଲ ହୋଇ ଏହି ଚଢାଉ କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ, ଗତ ୨୫ ତାରିଖ ଦିନ ଏହି ବନ୍ଦ କ୍ରସରରେ ଗଚ୍ଛିତ ଥିବା ଲୁହାପଥର ମଧ୍ୟରୁ ୧୫ଶହ ଟନ୍ ପରିମାଣର ଲମ୍ପସ୍ ପରିବହନ ନିମନ୍ତେ ରାଉରକେଲାର ଜୟମାତା ଇଣ୍ଟରପ୍ରାଇଜେସକୁ ଯୋଡା ଖଣି ବିଭାଗ ଅନୁମତି ପ୍ରଦାନ କରିଥିଲା । ତେବେ ୨୫ ତାରିଖ ଦିନ ବିଳମ୍ବିତ ରାତ୍ରିରେ ଏହି କ୍ରସରରୁ ଲମ୍ପସ ବଦଳରେ ଲୁହାପଥର ଗୁଣ୍ଡ ପଶ୍ଟିମବଙ୍ଗ ରାଜ୍ୟକୁ ଚୋରା ଚାଲାଣ କରାଯିବାକୁ ଟ୍ରକରେ ବୋଝେଇ ହେଉଥିବା ସମୟରେ ଯୋଡା ପୋଲିସ ଉକ୍ତ ସ୍ଥାନରେ ଚଢୋଉ କରି ଲୁହାପଥର ଗୁଣ୍ଡ ବୋଝେଇ ୨ଟି ଟ୍ରକ ଜବତ କରିବା ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ତେବେ ଅନ୍ଧାରର ସୁଯୋଗ ନେଇ ଏହି ଟ୍ରକ ଗୁଡିକୁ ବୋଝେଇ କରୁଥିବା ଜେସିବିଟି ଘଟଣା ସ୍ଥଳରୁ ଖସି ଯିବାରେ ସକ୍ଷମ ହୋଇଥିଲା । ଏହି ଜେସିବିଟିକୁ ବାମେବାରୀର ଏକ ସ୍ଥାନରେ ଲୁଚାଇ ରଖାଯାଇଥିବା ବେଳେ ପୁଲିସ ଏହାକୁ ଜବତ କରିବା ସହ ଜେସିବିର ମାଲିକ ଏବଂ ଚାଳକକୁ ଗିରଫ କରିଥିଲା ।

keonjahr

ଏହି କ୍ରସରରୁ ୧୫ଟନ୍ ଲୁହାପଥର ଲମ୍ପସ ପରିବହନ ନିମନ୍ତେ ଅନୁମତି ମିଳିଥିବା ବେଳେ ଏଠାରେ ଲମ୍ପସ ବଦଳରେ କେବଳ ଲୁହାପଥର ଗୁଣ୍ଡ ରହିଥିବା ଦେଖିବାକୁ ମିଳିଥିଲା । ଏହି ବିଷୟରେ ଯୋଡା ଯୁଗ୍ମ ଖଣି ନିର୍ଦ୍ଦେଶକ ସଲିଳ କୁମାର ବେହେରାଙ୍କୁ ପଚାରିବାରୁ ବିଗତ ଦିନମାନଙ୍କରେ ଜଙ୍ଗଲ ବିଭାଗ, ଖଣି ବିଭାଗ, ଏବଂ ପୋଲିସ ବିଭାଗର ମିଳିତ ସହେଯାଗରେ ଖଣି ମଣ୍ଡଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ଖଣିଜ ପର୍ଦାଥ ଜବତ କରାଯାଇଥିବା କହିଛନ୍ତି । ଏହିପରି ଚୋରି କାର୍ଯ୍ୟକୁ କୌଣସି ମତେ ବରଦାସ କରାଯିବ ନାହିଁ ଏବଂ ଯେଉଁମାନେ ଏଥିରେ ସଂମ୍ପୂକ୍ତ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାଇ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୁଗ୍ମ ନିର୍ଦ୍ଦେଶକ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.