Below header

ଆସିଲା ଗୃହ ବିଭାଗର ଶ୍ୱେତପତ୍ର, ୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା

କେନ୍ୟୁଜ୍(ବ୍ୟୁରୋ):  ଆସିଲା ଗୃହ ବିଭାଗର ଶ୍ୱେତପତ୍ର । ୨୦୨୦ରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ଥିଲା । ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୩୦ଟି ପଞ୍ଜିକୃତ ଅପରାଧ ମାମଲା ମଧ୍ୟରୁ ୧ ଲକ୍ଷ ୧୦ ହଜାର ୭୪୧ଟି ମାମଲା ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଥିଲା । ୨୦୨୦ ମସିହାରେ ମୋଟ୍ ୧୦ହଜାର ୪୧୨ଟି ଚୋରି ମାମଲା ପଞ୍ଜିକୃତ ହୋଇଥିଲା । ସେଥିରୁ ୧୦ହଜାର ୨୦୭ଟି ମାମଲା ସତ୍ୟ । ତନ୍ମଧ୍ୟରୁ ୩ ହଜାର ୭୭୦ଟି ମାମଲାରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଥିଲା । ସେହିପରି ୨୦୫୯ଟି ଦଙ୍ଗା ମାମଲା, ୩୫୨୪ଟି ପ୍ରତାରଣା ମାମଲା, ୨୯୮୪ଟି ଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଥିଲା ।

୨୦୨୦ରେ ୪୮୮୮ଟି ଯୌତୁକଜନିତ ମାମଲା ରୁଜୁ ହୋଇଛି । ଧର୍ତ୍ତବ୍ୟ ଅପରାଧ ୯୩ ହଜାର ୨୨୯, ୧୪୭୦ ନରହତ୍ୟା ମାମଲାର ପଞ୍ଜିକରଣ ହୋଇଛି । ୨୦୨୦ବର୍ଷରେ ୫୧୪ଟି ଡକାୟତି ମାମଲା, ୨୧୬୬ଟି ଲୁଣ୍ଠନ, ୪୫୦୦ଟି ସିନ୍ଧି ଚୋରି ମାମଲା ପଞ୍ଜିକୃତ ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ହୋଇଛି । ସାମ୍ପ୍ରଦାୟିକ ସ୍ଥିତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବାବେଳେ ୨୦୨୦ ମସିହାରେ ୨୭ ଥର ହିନ୍ଦୁ-ମୁସଲିମ, ୩ ଥର ହିନ୍ଦୁ-ଖ୍ରୀଷ୍ଟିଆନ ବିଦ୍ୱେଷ ଦେଖାଦେଇଛି । କୋଭିଡ ମହାମାରୀ ପରିଚାଳନାରେ ଗୃହ ବିଭାଗ ସଫଳ ହୋଇଛି । କାର‌୍ୟ୍ୟ ସମ୍ପାଦନ ସମୟରେ ୮୯୦୨ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହୋଇଥିଲେ । କର୍ତ୍ତବ୍ୟ ସମ୍ପାଦନ ସମୟରେ ୪୮ ଜଣ ପ୍ରାଣ ହରାଇଛନ୍ତି ।

କରୋନାରୁ ସୁସ୍ଥ ହେବା ପରେ ୧୦୦୨ଜଣ ପ୍ଲାଜମା ଦାନ କରିଛନ୍ତି । ୨୦୨୦-୨୧ ମସିହାରେ ପୋଲିସ ତରଫରୁ ୧୮ ଥର ଗୁଳିଚଳନା କରାଯାଇଛି । ୫ଟି ଜିଲ୍ଲାକୁ ମାଓମୁକ୍ତ ଜିଲ୍ଳା ଭାବେ ଘୋଷଣା କରାଯାଇଛି । ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୩୪ ଜଣଙ୍କୁ ଗିରଫ କରାଯାଇଛି । ୨ଟି ଉପନିର୍ବାଚନ ଓ କୋଭିଡ ମଧ୍ୟରେ ରଥଯାତ୍ରାର ସୁପରିଚାଳନା କରାଯାଇଛି ବୋଲି ଗୃହ ବିଭାଗର ଶ୍ୱେତପତ୍ରରେ ଉଲ୍ଲେଖ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.