ଯାଜପୁର: ବିଦ୍ୟାଳୟରେ ଝୁଲୁଛି ତାଲା, ଫାଟକ ସମ୍ମୁଖରେ ଗୁରୁଦିବସ ପାଳିଲେ ଛାତ୍ରଛାତ୍ରୀ

ଯାଜପୁର (କେନ୍ୟୁଜ): ଆଜି ପବିତ୍ର ଗୁରୁ ଦିବସ। ଗୁରୁ ମାନଙ୍କୁ ପୂଜା କରିବାର ଦିନଟିଏ। ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ଏହି ଦିବସକୁ। ତେବେ ସ୍କୁଲରେ ତାଲା ପଡ଼ିଥିବାରୁ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସି ଏହି ଦିବସ ପାଳନ କରିବାରୁ ବଞ୍ଚିତ ହୋଇଛନ୍ତି। ଶେଷରେ ସ୍କୁଲ ଫାଟକ ସମ୍ମୁଖରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ର ରଖି ଏହି ଦିବସକୁ ପାଳନ କରିଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଟିକରପଡ଼ା ପଞ୍ଚାୟତ କୁଜିବର ଗ୍ରାମରେ ଥିବା ବାସୁଳାଇ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ। ଚଳିତ ମାସ ୧ ତାରିଖ ଠାରୁ ଏହି ବିଦ୍ୟାଳୟରେ ତାଲା ପଡ଼ିଛି। ଛାତ୍ରଛାତ୍ରୀମାନେ ପ୍ରତିଦିନ ବିଦ୍ୟାଳୟକୁ ପାଠପଢିବାକୁ ଆସୁଛନ୍ତି। ହେଲେ ତାଲା ପଡ଼ିଥିବା ଦେଖି ନିରାଶ ହୋଇ ଫେରିଯାଉଛନ୍ତି।

jajpr3

ତେବେ ଆଜି ଗୁରୁଦିବସ ଥିବାରୁ ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଫାଟକ ସମ୍ମୁଖରେ ଡଃ. ସର୍ବପଲ୍ଲୀ ରାଧାକିଷ୍ଣଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଗୁରୁଦିବସ ପାଳନ କରିଛନ୍ତି। ସୂଚନା ଥାଉକି, ଟିକରପଡ଼ା ପଞ୍ଚାୟତ କୁଜିବର ଗ୍ରାମରେ ଥିବା ବାସୁଳାଇ ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ୨୦୦୮-୨୦୦୯ ଶିକ୍ଷାବର୍ଷରେ ଖୋଲିଥିଲା। ମାତ୍ର ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଦର୍ଶାଇ ସରକାରଙ୍କ ବିଜ୍ଞପ୍ତି ନଂ- ୫୪୮୫ ଅନୁଯାୟୀ ୨୦୨୦ ମାର୍ଚ୍ଚ ୧୧ ତାରିଖରେ ବିଦ୍ୟାଳୟକୁ ବନ୍ଦ କରିବାକୁ ନୋଟିସ୍ ଦିଆଯାଇ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା। ଏହାକୁ ବିରୋଧ କରି ଗ୍ରାମବାସୀମାନେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କୋର୍ଟ ବିଦ୍ୟାଳୟ ବନ୍ଦ ସଂକ୍ରାନ୍ତୀୟ ନିର୍ଦ୍ଦେଶକୁ ରଦ୍ଦ କରି ପୂର୍ବପରି ବିଦ୍ୟାଳୟ ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏଯାବତ୍ ବିଦ୍ୟାଳୟ ଖୋଲାନଯିବାରୁ ଛାତ୍ରଛାତ୍ରୀମାନେ ପାଠପଢାରୁ ବଞ୍ଚିତ ଅଛନ୍ତି। ତେବେ ଆଜି ଗୁରୁ ଦିବସ ଥିବାରୁ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସି ଫାଟକ ସମ୍ମୁଖରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ର ରଖି ପୂଜାର୍ଚ୍ଚନା କରିବା ସହ ଗୁରୁ ଦିବସ ପାଳନ କରିଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.