ଟ୍ରଲିରେ ସାକ୍ଷୀଗୋପାଳରୁ ଏସସିବି ଆସିବା ଘଟଣା, ୭୦ କିମି ଟଣା ହୋଇ ଆସି ବି ଜୀବନ ହାରିଲେ ସୁକାନ୍ତି

କେନ୍ୟୁଜ (ବ୍ୟୁରୋ): ପତ୍ନୀଙ୍କୁ ଚିକିତ୍ସା ପାଇଁ ଟ୍ରଲିରେ ଆଣିଲେ ୭୦ କିମି। କିନ୍ତୁ ଡାକ୍ତରଖାନାରେ ଚିକିତ୍ସାର ଦିନକ ପରେ ପ୍ରାଣ ହରାଇଲେ ପତ୍ନୀ। ଗତକାଲି କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ପୁରୀ ସାକ୍ଷୀଗୋପାଳର ସୁକାନ୍ତି ଭୋଇ ସର୍ଜରୀ ୱାର୍ଡରେ ଭର୍ତ୍ତି ପ୍ରାଣ ହରାଇଛନ୍ତି। ସୁକାନ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥାରେ ସୁଧାର ନହେବାରୁ ତାଙ୍କୁ ଅନ୍ୟତ୍ର ଚିକିତ୍ସା କରାଇବାକୁ କହିଥିଲେ ଡାକ୍ତର।

ସୁକାନ୍ତିଙ୍କ ସ୍ୱାମୀ କବୀର ଭୋଇ ଅତ୍ୟନ୍ତ ଗରିବ ହୋଇଥିବାରୁ ଡାକ୍ତରଖାନା ନେବା ପାଇଁ ତାଙ୍କ ପାଖରେ ଗାଡ଼ିଭଡ଼ା ନଥିଲା। ଫଳରେ ସ୍ତ୍ରୀଙ୍କୁ ଏକ ଟ୍ରଲିରେ ବୋହି ୭୦ କିମି ଦୂର କଟକ ଆଣିଥିଲେ। ଖବର ଜଣାପଡ଼ିବା ପରେ କିଛି ସ୍ୱେଚ୍ଛାସେବୀଙ୍କ ସହାୟତାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଗତକାଲି ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ଘଟିଥିବା ଏସସିବି ମେଡିକାଲର ଜରୁରୀକାଳିନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି। ପରେ ମୃତଦେହକୁ ମହାପ୍ରୟାଣ ଗାଡ଼ିରେ ଅନ୍ତିମ ସଂସ୍କାର ପାଇଁ ପୁରୀ ପଠାଯାଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.