ଆସନ୍ତାକାଲି ବିଶ୍ୱ ଏଡସ୍‌ ଦିବସ, ସଚେତନତା ପାଇଁ ବେଳାଭୂମିରେ ଅଭିନବ ପ୍ରୟାସ

କେନ୍ୟୁଜ୍‌: ବିଶ୍ୱ ଏଡସ୍‌ ଦିବସର ଅବ୍ୟବହିତ ପୂର୍ବରୁ ଏଚ.ଆଇ.ଭି/ ଏଡସ୍‌ ନିୟନ୍ତ୍ରଣ କ୍ଷେତ୍ରରେ ସହଭାଗୀ ହୋଇ ଦାୟିତ୍ୱ ନିର୍ବହନ କରିବା ପାଇଁ ବାଲୁକା କଳା ଜରିଆରେ ଓଡ଼ିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି (ଓସାକ୍ସ), ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ସମେତ ପୁରୀ ବେଳାଭୂମିରେ ସଚେତନତାର ଅଭିନବ ପ୍ରୟାସ କରାଯାଇଛି। ଆଗାମୀ ୨୦୩୦ ସୁଦ୍ଧା ଏଡସ୍‌ ସଂକ୍ରମଣରେ ମୂଳୋତ୍ପାଟନ କରି ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବା ଦିଗରେ ଓସାକ୍ସ ଅବିରତ କାର୍ଯ୍ୟ ଜାରି ରଖିଛି। ଡିସେମ୍ବର ୧ ତାରିଖକୁ ସାରା ପୃଥିବୀରେ ବିଶ୍ୱ ଏଡସ୍‌ ଦିବସ ରୂପେ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ଏଡସ୍‌ ଦିବସର ଅନୁଚିନ୍ତା ରହିଛି-‘ବିଶ୍ୱ ଏକତା, ସହଭାଗୀ ଦାୟିତ୍ୱ’।

aids dayଅନ୍ୟପଟେ ଭୁବନେଶ୍ୱରଠାରେ ଷ୍ଟେଟ ବ୍ୟାଙ୍କ ସହଯୋଗରେ ସୁବଳ ମହାରଣା ଓ ପୁରୀଠାରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହଯୋଗରେ ବାଲୁକା କଳା ଜରିଆରେ ସଚେତନତାର ବାର୍ତ୍ତା ଦିଆଯିବାର ପ୍ରଚେଷ୍ଟା କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏଡ୍‌ସର ସ୍ଥାୟୀ ନିରାକରଣ ପାଇଁ ଔଷଧ ନଥିବା ବେଳେ ସଚେତନତା ଓ ସଂଯମପୂର୍ଣ୍ଣ ଆଚରଣ ଦ୍ୱାରା ଏହାକୁ ରୋକାଯାଇ ପାରିବ। ଓସାକ୍‌ସର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ, ମାଗଣାରେ ଉପଲବ୍‌ଧ ସ୍ୱାସ୍ଥ୍ୟସେବା ଏବଂ ଘୃଣା ଭେଦଭାବ ବିହୀନ ସହାୟତା ଦ୍ୱାରା ସଂକ୍ରମଣ ନିୟନ୍ତ୍ରଣାଧୀନ ହୋଇପାରିଛି।

କେବଳ ସଂକ୍ରମିତ ବ୍ୟକ୍ତିଙ୍କ ଜୀବନ ଅବଧି ବୃଦ୍ଧି କରିବା ପାଇଁ ଏଆରଟି ଔଷଧ ସେବା ରାଜ୍ୟର ୧୫ଟି ଏଆରଟି ଓ ୧୯ଟି ସଂଯୋଜିତ କେନ୍ଦ୍ରରେ ଯୋଗାଇ ଦିଆଯାଉଛି। ଏଆରଟି ଔଷଧ ସହ ସଂକ୍ରମଣର ଚିକିତ୍ସା ଓ ଆବଶ୍ୟକୀୟ ପରୀକ୍ଷା ନିରୀକ୍ଷା ସରକାରଙ୍କ ତରଫରୁ ମାଗଣାରେ ଯୋଗାଇ ଦିଆଯାଉଛି। ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ରାଜ୍ୟରେ ୫୨ହଜାର ୬୭ଜଣ ସଂକ୍ରମିତ ବ୍ୟକ୍ତି ପଞ୍ଜିକୃତ ହୋଇଛନ୍ତି ଓ ବିନା ମୂଲ୍ୟରେ ପରାମର୍ଶ, ପରୀକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.