ବନବିଭାଗ ହେପାଜତରେ ଧନେଶ୍ୱରଙ୍କ ମୃତ୍ୟୁର ହେଲା ଖୁଲାସା, ଦୀର୍ଘ ୮ ଘଣ୍ଟା ଧରି କରିଥିଲେ ଅତ୍ୟାଚାର

କଟକ (କେନ୍ୟୁଜ): ୮ ଘଣ୍ଟା ଧରି ଅମାନୁଷିକ ଅତ୍ୟାଚାର। ବଡମ୍ବା ବ୍ଲକ ବଡବାରସିଂହ ଗ୍ରାମ ପଞ୍ଚାୟତ ସାତଗୋଛିଆ ଗାଁର ଧନେଶ୍ୱରଙ୍କ ମୃତ୍ୟୁ ଘଟଣାରେ ଖୁଲାସା ହେଲା ସଂଘାତିକ ଅଭିଯୋଗ। ଧନେଶ୍ୱରଙ୍କ ଗାଁ ପାଖରୁ ବକଳବାଡ଼ିଆ ଗାଁର ରାଜ ବେହେରାଙ୍କୁ ମଧ୍ୟ ବନ କର୍ମଚାରୀମାନେ ନିଜ ହେପାଜତକୁ ନେଇଥିଲେ । ରାଜର କହିବା ଅନୁଯାୟୀ ବନ କର୍ମଚାରୀ ତାଙ୍କୁ ନେଇ ଗୁରୁଡିଝାଟିଆର ଏକ ବିଟ୍‌ ଘରେ ରଖି ଅକଥନୀୟ ଯନ୍ତ୍ରଣା ଦେଇଥିଲେ । ଦୀର୍ଘ ୮ ଘଣ୍ଟା ଧରି ଅମାନୁଷିକ ଭାବେ ଅତ୍ୟାଚାର କରିଥିଲେ। ଲୁହା ରଡ଼ରେ ପିଟି ପିଟି ମାରିଦେବାର ଅଭିଯୋଗ ଆସିଛି। ରାଜ ବେହେରାଙ୍କୁ ନିର୍ଦ୍ଧୁମ ପିଟିଥିବାରୁ ତାଙ୍କ ଅବସ୍ଥା ମଧ୍ୟ ଗୁରୁତର ରହିଛି । ୩ ଜଣକୁ ଗୋଟିଏ ଜାଗାରେ ରଖି ଏମିତି ବାଡେଇ ଥିଲେ ଯେ ସେଥିରେ ୪ଟି ବାଡ଼ି ଭାଙ୍ଗି ଯାଇଥିବା କହିଛନ୍ତି । ସେ ଅଳ୍ପକେ ବଞ୍ଚି ଯାଇଥିବା କହିଛନ୍ତି । ସେପଟେ ଧନେଶ୍ୱରଙ୍କ ମୃତ୍ୟୁକୁ ନେଇ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ପଚରା ଉଚରା କରୁଛି ପୋଲିସ୍‌ ।

ସୂଚନା ଅନୁଯାୟୀ, କିଛି ଦିନ ତଳେ ବଡ଼ମ୍ବା ଏବଂ ହିନ୍ଦୋଳ ସଂରକ୍ଷିତ ଜଙ୍ଗଲର ସୀମାବର୍ତ୍ତୀ ଅଞ୍ଚଳରୁ ଏକ ଗଳିତ ଗୁଳିବିଦ୍ଧ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ବନ ବିଭାଗ ଜଣଙ୍କୁ ଗତକାଲି ଉଠାଇ ଆଣି ଅଟକ ରଖିଥିଲା। କିନ୍ତୁ ରେଞ୍ଜରଙ୍କ ହେପାଜତରେ ଥିବା ଉକ୍ତ ଅଭିଯୁକ୍ତଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ମୃତକ ଖୁଣ୍ଟକଟା ସାତଗୋଛିଆ ଗାଁର ଧନେଶ୍ବର ବେହେରା (୫୯) ବୋଲି ଜଣାଯାଇଛି।

ଅପରପକ୍ଷରେ ଗୋଟିଏ ପରେ ଗୋଟିଏ ଏଭଳି ବାରମ୍ବାର ଦନ୍ତା ଶିକାରକୁ ନେଇ ବଡ଼ମ୍ବା, ନରସିଂହପୁର ତଥା ଆଠଗଡ଼ ବନଖଣ୍ତ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ଛୋଟ ଦନ୍ତାହାତୀ ଶିକାର ଘଟଣା ବିଭାଗ ପାଇଁ ସମସ୍ୟା ବଢାଇଛି। ବଡମ୍ବାରେ ହାତୀମୃତ୍ୟୁ ଘଟଣା ଜଣାପଡିବା ପରେ ବନବିଭାଗ ଉଚ୍ଚ ଅଧିକାରୀଙ୍କ ପ୍ରତିକ୍ରିୟା ରଖୁନାହାନ୍ତି। ଏପରିକି ବିଭାଗ ମଧ୍ୟ ଘଟଣାକୁ ଗଣମାଧ୍ୟମଠାରୁ ଦୂରେଇ ରଖିଛି। ବାରମ୍ବାର ବଡମ୍ବାରେ ହାତୀ ମୃତ୍ୟୁ ଘଟୁଥିବା ବେଳେ ବନ ବିଭାଗ ଏ ସଂପର୍କରେ ଖବର ନପାଇବା ଘଟଣା ବନବିଭାଗର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.