ସାମ୍ନାକୁ ଆସିଲା ଅର୍ଚ୍ଚନା ନାଗ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ହାର୍ଲି ଡେଭିଡସନ୍‌ ଗାଡ଼ି, ଏକ ଆପାର୍ଟମେଣ୍ଟରୁ ହେଲା ଠାବ

ଭୁବନେଶ୍ୱର(କେନ୍ୟୁଜ୍): ସାମନାକୁ ଆସିଲା ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ହାର୍ଲି ଡେଭିଡସନ୍‌ ଗାଡ଼ି । ଏକ ଆପାର୍ଟମେଣ୍ଟରୁ ଏହି ଗାଡ଼ି ଠାବ ହୋଇଛି । ନାଲି ରଙ୍ଗର ହାର୍ଲି ଡେଭିଡସନ୍‌ ବାଇକକୁ ଲୁଚାଇ ରଖିଥିଲେ ଜଗବନ୍ଧୁ । ଘଟଣା ପରଠୁ ଗାଡ଼ିକୁ ଲୁଚାଇ ରଖିଥିଲେ । ଅର୍ଚ୍ଚନା କେସରେ ଜଗବନ୍ଧୁଙ୍କୁ ନୋଟିସ୍‌ କରିଛି କମିଶନରେଟ ପୋଲିସ । ସେ ଏଯାଏ ହାଜର ହୋଇ ନାହାନ୍ତି ।

ଏଥିପାଇଁ ସମୟ ନେଇଥିବା ବେଳେ କେବେ ହାଜର ହେବେ ତାଉପରେ ରହିଛି ନଜର । ଏଭଳି ସମୟରେ ଲୁଚାଇ ରଖିଥିବା ଦାମୀ ବାଇକ୍‌ ସାମନାକୁ ଆସିଛି । ଉଭୟ ଅର୍ଚ୍ଚନା ଓ ଜଗବନ୍ଧୁ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ । ବିଏମଡବ୍ଲୁ, ଫୋର୍ଡ ଏଣ୍ଡେଭର୍‌, ମହିନ୍ଦ୍ରା ଥର ଭଳି ନାମୀଦାମୀ ଗାଡ଼ି ଚଢୁଥିଲେ ।

ସାମାନକୁ ଆସୁଛି ନୂଆ ନୂଆ ତଥ୍ୟ । ଅର୍ଚ୍ଚନା ଏବେ ଜେଲ ହାଓ୍ଵା ଖାଉଥିବା ବେଳେ ତାଙ୍କର ବ୍ଲାକମେଲିଂର ଖିଅ ଖୋଜୁଛି ପୋଲିସ । ତାଙ୍କ ଲିଙ୍କରେ ଥିବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ତାଲିକା ଲମ୍ବିବାରେ ଲାଗିଛି । ଆଗକୁ ଅର୍ଚ୍ଚନାଙ୍କ ଲିଙ୍କରେ ଆସିଥିବା ବଡ଼ବଡ଼ିଆଙ୍କୁ ଜେରା କରିପାରେ ପୋଲିସ । ଅର୍ଚ୍ଚନାଙ୍କ ଡାଏରୀରୁ ୫୦ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ତାଲିକା ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି ।

୨ ଜଣ ଖଣି ମାଲିକ ଓ ଦୁଇ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ସେ ମଉକା ଦେଖି ଫଶାଇବାକୁ ଯୋଜନା କରିଥିଲେ । କେଉଁମାନେ ତାଙ୍କର ବ୍ଲାକମେଲିଂର ଶିକାର ହୋଇଥିଲେ ? କିଭଳି ସେମାନଙ୍କୁ ନିଜ ମାୟାଜାଲରେ ଫସାଇଥିଲେ ମାୟାବିନୀ ଅର୍ଚ୍ଚନା ? ଡିଲ୍‌ ଗ୍ୟାଙ୍ଗରେ ତାଙ୍କ ସହ ଆଉ କେଉଁମାନେ ଥିଲେ ? କେମିତି ଓ କେଉଁ ଉପାୟରେ ଟଙ୍କା ହାତଉଥିଲେ ଅର୍ଚ୍ଚନା ? ବ୍ଲାକମେଲ୍‌ କରି କାହା ପାଖରୁ କେତେ ଟଙ୍କା ଝଡ଼ାଇଛନ୍ତି ? ତାଙ୍କ ଜାଲରେ ଫସିଥିବା ବଡ଼ବଡ଼ିଆଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରିପାରେ ବୋଲି ସୂଚନା ମିଳିଛି । ରାଜନେତା, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକ, ବିଲଡର ଆଦିଙ୍କୁ ପଚରାଉଚରା ହେବ ।

ସେହିପରି ଅର୍ଚ୍ଚନାଙ୍କ ମନି ଟ୍ରେଲ୍‌ ବା ଟଙ୍କା କାରବାରର ଖୋଳତାଡ କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିକୁ ଅର୍ଚ୍ଚନାଙ୍କ ବେଆଇନ୍‌ ସମ୍ପତ୍ତିର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ବି ହୋଇଛି । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ବି ଖୋଳତାଡ କରିବା ନେଇ ସୂଚନା ମିଳିଛି ।

ବଡ଼ ବଡ଼ିଆଙ୍କୁ ଜେରା ହେଲେ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଅଧିକ ରହସ୍ୟ ପଦାକୁ ଆସିବ । ସେପଟେ ଅର୍ଚ୍ଚନା କରିଥିବା ଜାମିନ ଆବେଦନ ଉପରେ ଆଜି ରାୟ ଆସିପାରେ । ଗତକାଲି ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.