ଦିବ୍ୟାଙ୍ଗଙ୍କ ପାଇଁ ଆନନ୍ଦ ହେବ ଜଗା ଦର୍ଶନ, ଲାଗୁ ହେବାକୁ ଯାଉଛି ନୂଆ ଏସଓପି
ଦିବ୍ୟାଙ୍ଗଙ୍କ ପାଇଁ ଜଗାଦର୍ଶନ ଆନନ୍ଦ ଦାୟକ ହେବ । ଛତିଶା ନିଯୋଗ ବୈଠକରେ ନୂଆ ଏସ. ଓ. ପି ଜାରି ହୋଇଛି । ଏସ. ଓ. ପି ଅନୁସାରେ ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଅନଲାଇନରେ ନାମ ପଞ୍ଜୀକରଣ କରିବେ।

ପୁରୀ (କେନ୍ୟୁଜ): ଏଣିକି ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଆଗାମୀ ଦିନରେ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଲାଗୁ ହେବାକୁ ଯାଉଛି ନୂଆ ଏସଓପି । ପୂର୍ବରୁ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀଜିଓଙ୍କ ଦର୍ଶନ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଭିଡ଼ ଭିତରେ କାଳିଆକୁ ଦେଖିବା ସମ୍ଭବ ହେଉନଥିଲା । ଏସବୁକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗଙ୍କ ପାଇଁ ନିଆଯାଇଛି ଏଭଳି ନିଷ୍ପତ୍ତି । ଏସ ଓ ପି ଅନୁଯାୟୀ ଅନଲାଇନ୍ ପଞ୍ଜିକରଣ କରି ଏହି ସୁବିଧା ପାଇ ପାରିବେ ଦିବ୍ୟାଙ୍ଗ ଭକ୍ତ । ତେବେ ଏନେଇ ପୂର୍ବରୁ ଅନେକ ଦାବି କରାଯାଉଥିବା ବେଳେ ଦୈନିକ ୨୦ ଜଣ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେମାନେ ମାସକୁ ଥରୁଟିଏ ମାତ୍ର ଦର୍ଶନ କରିପାରିବେ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି ।
ଦିବ୍ୟାଙ୍ଗଙ୍କ ପାଇଁ ଜଗାଦର୍ଶନ ଆନନ୍ଦ ଦାୟକ ହେବ । ଛତିଶା ନିଯୋଗ ବୈଠକରେ ନୂଆ ଏସ. ଓ. ପି ଜାରି ହୋଇଛି । ଏସ. ଓ. ପି ଅନୁସାରେ ଦିବ୍ୟାଙ୍ଗ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବା ପୂର୍ବରୁ ଅନଲାଇନରେ ନାମ ପଞ୍ଜୀକରଣ କରିବେ। ପ୍ରଥମେ ହୁଇଲ୍ ଚେୟାରରେ ଉତ୍ତର ଦ୍ୱାର ନିଆଯିବା ପରେ ସେମାନଙ୍କୁ ସ୍ୱତନ୍ତ୍ର କାଠ ଚୌକି ଯୋଗେ ବାହକମାନଙ୍କ ଦ୍ୱାରା ଘଣ୍ଟିଦ୍ୱାର ଦେଇ ଜୟବିଜୟ ଦ୍ୱାର ନିକଟରେ ଦର୍ଶନ କରିବା ନେଇ ବ୍ୟବସ୍ଥା କରାଯିବ। ତେବେ ଗୋପାଳବଲ୍ଲଭ ଠାରୁ ସକାଳଧୂପ ପର୍ଯ୍ୟନ୍ତ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀମନ୍ଦିରରେ ଦର୍ଶନ କରିବା ସହ ପ୍ରତିହାରୀ ସେବାୟତମାନେ ସେମାନଙ୍କୁ ଦର୍ଶନର ସୁବିଧା କରାଇବେ। ସେପଟେ ଦିବ୍ୟାଙ୍ଗ ଭକ୍ତଙ୍କ ସହ ସେମାନଙ୍କ ପରିବାରର ମାତ୍ର ଦୁଇଜଣ ସହଯୋଗୀ ଯାଇପାରିବେ। ଦୈନିକ ୨୦ ଜଣ ଦିବ୍ୟାଙ୍ଗ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ସହ ସେମାନେ ମାସକୁ ଥରୁଟିଏ ମାତ୍ର ଦର୍ଶନ କରିପାରିବେ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି।
ଅନ୍ୟପଟେ ଦିବ୍ୟାଙ୍ଗ ମାନେ ଦୀର୍ଘ ବର୍ଷ ଧରି ସ୍ବତନ୍ତ୍ର ଦର୍ଶନ ପାଇଁ ଦାବି କରି ଆସୁଛନ୍ତି । ନମ୍ଭେମ୍ବର୍ ୨୦୨୧ରୁ ଉତ୍ତରଦ୍ଵାର ଦେଇ ରାମ୍ପରେ ଯିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ରାମ୍ପ୍ ବ୍ୟବସ୍ଥା ସମ୍ପୂର୍ଣ ହୋଇନାହିଁ । ତେବେ ଏହି ନିଷ୍ପତ୍ତି ପରେ ଦିବ୍ୟାଙ୍ଗ ଭକ୍ତମାନେ ବେଶ୍ ଖୁସି ଅଛନ୍ତି । ମାତ୍ର ୨୦ ଜଣ ନୁହେଁ ବରଂ ଅଧିକ ରୁ ଅଧିକ ସଂଖ୍ୟକ ଭକ୍ତଙ୍କୁ ଦର୍ଶନର ସୁବିଧା ପାଇଁ ଶ୍ରୀ ମନ୍ଦିରର ବରିଷ୍ଠ ସେବାୟତମାନେ ଦାବି କରିଛନ୍ତି । ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରିତ କରି ଦିବ୍ୟାଙ୍ଗ ମାନଙ୍କୁ ଚୌକି ନୁହେଁ ବରଂ ପିଠିଆରେ ନେବାପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି ହୋଇଛି । ତେବେ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀ ମନ୍ଦିର ପ୍ରଶାସନର ବ୍ୟବସ୍ତାକୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି ।
ତେବେ ବିଭିନ୍ନ ପର୍ବପର୍ବାଣିରେ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଲାଗି ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ ବର୍ତମାନ ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଣ୍ଟାଭିଡିଛି ଶ୍ରୀ ମନ୍ଦିର ପ୍ରଶାସନ ।