ଗୁଜରାଟ ଟାଇଟନ୍ସକୁ ବଡ଼ ଝଟ୍କା, IPL ୨୦୨୪ରୁ ବାହାରିଲେ ଷ୍ଟାର୍ ବୋଲର୍ ମହମ୍ମଦ ଶାମି
ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ଆସିଛି ବଡ଼ ଅପଡେଟ୍ । ଭାରତର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମି ଆଇପିଏଲ୍ରୁ ବାହାରିଛନ୍ତି । ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି ।

ଆଇପିଏଲ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ଆସିଛି ବଡ଼ ଅପଡେଟ୍ । ଭାରତର ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ଶାମି ଆଇପିଏଲ୍ରୁ ବାହାରିଛନ୍ତି । ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଛି । ଶାମିଙ୍କୁ ଏଥିପାଇଁ ବ୍ରିଟେନରେ ସର୍ଜରୀ କରାଇବାକୁ ପଡ଼ିବ ।
୩୩ ବର୍ଷୀୟ ଶାମି ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଟେଷ୍ଟ ସିରିଜ୍ରେ ନାହାନ୍ତି । ସେ ଶେଷ ଥର ନଭେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଭାରତ ପାଇଁ ଖେଳିଥିଲେ ।
ବିସିସିଆଇ ସହ ଜଡ଼ିତ ସୂତ୍ରରୁ ଜଣାପଡ଼ିଛି ଯେ ଜାନୁୟାରୀ ଶେଷ ସପ୍ତାହରେ ଶାମି ନିଜ ଗୋଡ଼ର ଆଙ୍କଲରେ ସ୍ପେଶାଲ ଇଞ୍ଜେକ୍ସନ ନେବା ପାଇଁ ଲଣ୍ଡନ ଯାଇଥିଲେ । ସେଠାରେ ତାଙ୍କୁ କୁହାଯାଇଥିଲା କି, ୩ ସପ୍ତାହ ପରେ ସେ ହାଲୁକା ଦୌଡ଼ାଦୌଡ଼ି ଆରମ୍ଭ କରି ପାରିବେ ଏବଂ ଏହାପରେ ଏହି ଇଞ୍ଜେକ୍ସନ ନେଇପାରିବେ ।
ତେବେ ବରିଷ୍ଠ ସୂତ୍ର ନିଜ ନାମ ଗୋପନ ରଖି କହିଛନ୍ତି ଯେ ଏହି ଇଞ୍ଜେକ୍ସନ କାମ କରୁନାହିଁ । ଏବେ ଏକମାତ୍ର ବିକଳ୍ପ ହେଉଛି ସର୍ଜରୀ । ମହମ୍ମଦ ଶାମି ବହୁତ ଜଲ୍ଦି ସର୍ଜରୀ ପାଇଁ ବ୍ରିଟେନ ଯିବେ । ତେଣୁ ଆଇପିଏଲ୍ର ଚଳିତ ସିଜନରେ ସେ ଖେଳିବାର କୌଣସି ପ୍ରଶ୍ନ ଉଠୁନାହିଁ । ଏମିତିରେ ଏହା ଶୁଭମନ ଗିଲ୍ଙ୍କ ଗୁଜରାଟ ଟାଇଟନ୍ସ ଟିମ୍ ପାଇଁ ବଡ଼ ଝଟ୍କା ବୋଲି କୁହାଯାଉଛି ।
ମହମ୍ମଦ ଶାମି ବିଶ୍ୱକପ୍ର ୭ଟି ମ୍ୟାଚ୍ରେ ୨୪ଟି ଓ୍ଵିକେଟ୍ ନେଇ ଭାରତ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ସେ ଯନ୍ତ୍ରଣା ସତ୍ତ୍ୱେ ଏହି ଟୁର୍ନାମେଣ୍ଟରେ ଖେଳିଥିଲେ । କହି ରଖୁଛୁ, ନିକଟରେ ଏହି କ୍ରିକେଟରଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।