ଜେଲ୍ କର୍ତ୍ତୁପକ୍ଷଙ୍କ ମାନବିକତା: ବନ୍ଦୀ ଭାବେ ଜୀବନ ବିତାଉଥିବା ମହିଳାଙ୍କ ଦେଢବର୍ଷର ଶିଶୁକନ୍ୟାର କରାଇଲେ ହାର୍ଟ ଅପରେସନ୍
ଭଞ୍ଜନଗର: ଜେଲ୍ କର୍ତ୍ତୁପକ୍ଷଙ୍କ ମାନବିକତା । ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ମହିଳାଙ୍କ ଦେଢବର୍ଷର ଶିଶୁକନ୍ୟାର ହାର୍ଟ ଅପରେସନ୍ କରାଇ ମାନବିକତା ସୃଷ୍ଟି କରିଛନ୍ତି ଜେଲ୍ କର୍ତ୍ତୁପକ୍ଷ । ଗଞ୍ଜାମ ଜିଲ୍ଲା ଆସିକା ସବ୍ ଜେଲରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଗଂଜାମ ଜିଲ୍ଲା ବଡଗଡ ଥାନା ଅଞ୍ଚଳର ଜଣେ ମହିଳା ଏକ ହତ୍ୟା ମାମଲା ରେ ଗିରଫ ହୋଇ ଆସିକା ସବ୍ ଜେଲ୍ରେ ବିଚାରାଧିନ ବନ୍ଦୀ ଭାବେ ଜୀବନ ଅତିବାହିତ କରୁଥିଲେ ।
ତାଙ୍କ ସହ ତାଙ୍କ ଦେଢବର୍ଷର ଶିଶୁକନ୍ୟା ମଧ୍ୟ ଥିଲା । ତେବେ ଜେଲ୍ ଭିତରେ ଶିଶୁ କନ୍ୟାର ବାରମ୍ବାର ଜ୍ଵର ହେବାରୁ ଜେଲ୍ କର୍ତ୍ତୁପକ୍ଷ ଆସିକା ମେଡିକାଲରେ ଚିକିତ୍ସା କରାଉଥିଲେ। ଚିକିତ୍ସା ପରେ ଶିଶୁଟିର ହାର୍ଟରେ ଏକ ଛିଦ୍ର ରହିଥିବା ଜଣାପଡିଥିଲା । ଏହାପରେ ଶିଶୁଟିର ଅଧିକ ଚିକିତ୍ସା ପାଇଁ ଆସିକା ସବ୍ ଜେଲ୍ କର୍ତ୍ତୁପକ୍ଷ, ଜେଲ୍ ବିଭାଗ ଉଚ୍ଚ କର୍ତ୍ତୁପକ୍ଷ ଓ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ।
ଗତ ଜାନୁଆରୀ ୨୯ ତାରିଖରେ ଜେଲ୍ କର୍ମଚାରୀ ମହିଳା ଓ ଶିଶୁକୁ ନେଇ ବେଙ୍ଗାଲୁରୁର ଏକ ହସପିଟାଲରେ ହାର୍ଟ ଅପରେସନ୍ କରାଇଥିଲେ । ଶିଶୁଟି ସୁସ୍ଥ ହେବା ପରେ ମାଆ ଓ ଝିଅ ପୁଣି ଆସିକା ଜେଲ୍କୁ ଫେରିଛନ୍ତି । ତେବେ ଝିଅର ଏଭଳି ଚିକିତ୍ସା କରାଇଥିବାରୁ ଜେଲ୍ କତୃପକ୍ଷ ଓ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଂପୃକ୍ତ ମହିଳା ।