ମୟୁରଭଞ୍ଜ ବଡ଼ସାହି ବାଲିଘାଟ ସମ୍ପର୍କିତ ମାମଲା: ଏନଜିଟି ଗଠିତ ଯୁଗ୍ମ କମିଟି ଦେଲା ୧୬ କୋଟି ଟଙ୍କାର ପରିବେଶ ଓ ରାଜସ୍ବ କ୍ଷୟକ୍ଷତିର ରିପୋର୍ଟ

କଟକ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ବାଲିଘାଟ ସମ୍ପର୍କିତ ମାମଲାରେ ଏନଜିଟିଙ୍କ ଗଠିତ ଯୁଗ୍ମ କମିଟି ୧୬ କୋଟି ଟଙ୍କାର ପରିବେଶ ଓ ରାଜସ୍ବ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ମହୁପୁରା ତହସିଲ ଅନ୍ତର୍ଗତ ବଡ଼ସାହି ବାଲିଘାଟରୁ ଅନୁମତି ଠାରୁ ୨୦ ଗୁଣା ଅଧିକ ଯାନ୍ତ୍ରିକ ସାହାଯ୍ୟରେ ବାଲି ଖନନ ଓ ଏହା ଯୋଗୁଁ ନଦୀର ଗତିପଥ ପରିବର୍ତନ ନେଇ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ରେ ମାମଲା ରୁଜ୍ଜୁ ହୋଇଥିଲା ।

ବଡ଼ସାହି ବାଲିଘାଟରୁ ଦୈନିକ ଅନୁମତି ଠାରୁ ଢେର ଅଧିକ ତଥା ହଜାର ହଜାର ଟ୍ରିପ ବାଲି ଚାଲାଣ ହେଉଥିବା ନେଇ ‌ତହସିଲ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈାଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ହେବାରୁ ସାମାଜିକ କର୍ମୀ ରାଧାମୋହନ ସିଂ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ସୂଚନା ମୁତାବକ ମହାପୁର ତହସିଲ ଅନ୍ତର୍ଗତ ବଡ଼ସାହି ବାଲିଘାଟର ବାର୍ଷିକ ୨୪୦୦ ଘନମିଟର ଓ ଶ୍ରମିକ ସାହାଯ୍ୟରେ ବାଲି ଉତ୍ତୋଳନ କରିବାର ପରିବେଶ ମଞ୍ଜୁରୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩୧ ମାର୍ଚ୍ଚ ୨୦୨୧ ମସିହାରେ ମିଳିଥିଲା ।

 

ଅଭିଯୋକାରୀ ଅଭିଯୋଗ କରିଛନ୍ତି କି ଅନୁମତି ଠାରୁ ବହୁତ ଅଧିକ ବାଲି ଉତ୍ତୋଳନ ଓ ଯାନ୍ତ୍ରିକ ସାହାଯ୍ୟରେ ଖନନ ହେଉଛି । ଜାତୀୟ ସବୁଜ ପ୍ରାଧିକରଣ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ମାନ୍ୟବର ବିଚାରପତି ଜଷ୍ଟିସ ଅମିତ୍ ସ୍ଥାଲେକର ଓ ଜଷ୍ଟିସ ଶୈବାଳ ଦାସଗୁପ୍ତାଙ୍କ ଖଣ୍ଡପୀଠ ଏକ ଯୁଗ୍ମ କମିଟି ଗଠନ କରି ଉକ୍ତ ବାଲିଘାଟ ପରିଦର୍ଶନ କରି ସତ୍ୟପାଠ ମାଧ୍ୟମରେ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ମୟୁରଭଞ୍ଜ ଜିଲ୍ଲାପାଳ, ରାଜ୍ୟ ପରିବେଶ ଓ ପ୍ରଭାବ ମୂଲ୍ୟାୟନ ପ୍ରାଧିକରଣ (ସିଆ), ଜିଲ୍ଲା ଖଣି ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ମହାପୁର ତହସିଲଦାର କୁ ନେଇ ଗଠିତ ଯୁଗ୍ମ କମିଟି ଗତ ମେ ୯ ତାରିଖରେ ବାଲିଘାଟକୁ ଯାଇ ତଦନ୍ତ କରିଥିଲେ । ଅଗଷ୍ଟ ୨୫ ତାରିଖରେ ଉକ୍ତ ଯୁଗ୍ମ କମିଟି ସତ୍ୟପାଠ ମାଧ୍ୟମରେ ବାଲିଘାଟରୁ ଅନୁମତି ଠାରୁ ୨୦ ଗୁଣା ଅଧିକ ଯାହାକି ୪୮୦୦୦ ଘନମିଟର ଉତ୍ତୋଳନ ହୋଇଛି ବୋଲି ଆକଳନ କରି ରିପୋର୍ଟ ପ୍ରଦାନ କରିଛନ୍ତି। ପରିବେଶ କ୍ଷୟକ୍ଷତି ନିମନ୍ତେ ୧୨.୩୫ କୋଟି ଟଙ୍କା, ରାଜସ୍ବ ହାନି ହୋଇଥିବା ନେଇ ୩.୭୧ କୋଟି ଟଙ୍କା ଯାହାକି ମୋଟ ୧୬.୬ କୋଟି ଟଙ୍କାର ନିମନ୍ତେ ଆକଳନ କରି ଏହି ସତ୍ୟପାଠ ଏନଜିଟି ଙ୍କ ପାଖରେ ଦାଖଲ ହୋଇଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଅଭିଯୋଗକାରୀଙ୍କ ପକ୍ଷରୁ ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଏହି ମାମଲା ପରିଚାଳନା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.