ଗୁଣିଗାରେଡ଼ିରୁ ଘର ଲୋକଙ୍କ ଦେହ ଖରାପ ହେଉଛି, ରାଗରେ ଆସି ବୃଦ୍ଧାଙ୍କୁ ପିଟି ପିଟି ହତ୍ୟା କଲା ନାବାଳକ

ବାଂଶପାଳ(କେନ୍ୟୁଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ପଦା କସଡା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଗୁଣି ଗାରେଡି ସନ୍ଦେହରେ ଗ୍ରାମର ଜାନକୀ ମୁଣ୍ଡା (୬୦) ଙ୍କୁ ଲୁହା ଛଡ଼ରେ ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଗ୍ରାମର ଜଣେ ନାବାଳକର ପରିବାର ଲୋକଙ୍କୁ କିଛି ଦିନ ହେବ ଦେହ ଅସୁସ୍ଥ ଲାଗି ରହିଥିଲା। ଏହାକୁ କେନ୍ଦ୍ର କରି ଜାନକୀ ଗୁଣି ଗାରେଡି କରି ଦେହ ଖରାପ କରିଥିବା ସନ୍ଦେହ କରିଥିଲା ନାବାଳକ ଜଣକ। ସବୁବେଳେ ଗୁଣି କରୁଛି କହି ଅଭିଯୁକ୍ତ ନାବାଳକ  ଗତ ରବିବାର ଜାନକୀକୁ ଘରେ ଏକୁଟିଆ ପାଇ ଘର ବାହାରୁ କବାଟ ବନ୍ଦ କରିଦେଇ ଏକ ଲୁହା ଛଡ଼ରେ ଅତି ନିର୍ମମ ଭାବେ ପିଟି ପିଟି ଗୁରୁତର କରିଥିଲା।

ଗତ ରବିବାର ଠାରୁ ଜାନକୀ  ଗୁରୁତର ହୋଇ ଘର ଭିତରେ ପଡି ରହିଥିଲେ । ଯାହା ଫଳରେ ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା।  ଗତ କାଲି ସନ୍ଧ୍ୟାରେ ଗ୍ରାମବାସୀ କାଞ୍ଜିପାଣି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ହତ୍ୟାରେ ବ୍ୟବହୃତ ଲୁହା ଛଡ଼କୁ ପୋଲିସ ଜବତ କରିଛି।ମୃତ ଦେହକୁ ଆଜି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.