Below header

ଯାଜପୁର: ଗହ୍ମା ପୂର୍ଣ୍ଣିମାରେ ମନେପଡେ ବରୀର ସହୀଦ ପୀଠ କଳାମାଟିଆ, ଗୁଳିକାଣ୍ଡର ୮୦ତମ ସ୍ମୃତି ଦିବସ ପାଳିବାକୁ ସଜେଇ ହେଉଛି ଏହି ପୀଠ

ଯାଜପୁର(କେନ୍ୟୁଜ୍): ସ୍ୱାଧୀନତା ସଂଗ୍ରାମର ମାଟି ହେଉଛି ଯାଜପୁର ଜିଲ୍ଲାର ବରୀ ଅଂଚଳ। ୧୯୪୨ ମସିହା ଅଗଷ୍ଟ ମାସ ୨୬ତାରିଖ । ସେଦିନ ବରୀ କଳାମାଟିଆଠାରେ ବ୍ରିଟିଶ ପୋଲିସ ଗୁଳିରେ ଟଳିପଡିଥିଲେ ସାଉଁଟି ମଳିକ, ସାନନ୍ଦ ସ୍ୱାଇଁ, ହାଡିବଂଧୁ ପଣ୍ଡା ଓ ମାୟାଧର ଭୂୟାଁ । ଏଥିସହ ବହୁ ଆନ୍ଦୋଳନକାରୀ ଆହତ ହେବା ସହ ଗିରଫ ହୋଇଥିଲେ । ରକ୍ତରଂଜିତ ହୋଇଥିଲା କଳାମାଟିଆ ମାଟି । ତାଙ୍କର ତ୍ୟାଗ, ବଳିଦାନ ଓ ଦେଶପ୍ରେମକୁ ମନେରଖିବା ପାଇଁ କଳାମାଟିଆଠାରେ ସ୍ଥାପନ କରାଯାଇଛି ସହିଦ ସ୍ମୃତିସ୍ତମ୍ଭ । ପ୍ରତିବର୍ଷ ଗହ୍ମା ପୂର୍ଣ୍ଣମୀର ଦିନକୁ ଗୁଳିକାଣ୍ଡର ସ୍ମାରକୀ ଦିବସ ଭାବେ ପାଳନ କରାଯାଏ । ଏହି ଦିନ ଏଠାରେ ସହୀଦ ହୋଇଥିବା ସଂଗ୍ରାମୀମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ବିବିଧ କାର୍ଯ୍ୟକ୍ରମ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ସହୀଦମାନଙ୍କ ବୀରତ୍ୱର ଗାଥା ମନେ ପକାଇବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗୁଳିକାଣ୍ଡର ୮୦ତମ ସ୍ମୃତି ଦିବସ ପାଳିବାକୁ ସଜେଇ ହେଉଛି କଳାମାଟିଆ ।

 ଗହ୍ମା ପୂର୍ଣ୍ଣମୀ ଆସିଲେ କଳାମାଟିଆ ଗ୍ରାମବାସୀଙ୍କ ଲୋମ ଟାଙ୍କୁରି ଉଠେ । ମହାତ୍ମା ଗାନ୍ଧିଙ୍କ ଭାରତ ଛାଡ ଆନ୍ଦୋଳନ ଡାକରାରେ ଗୋପବନ୍ଧୁ ଚୈାଧୁରୀ ଓ ରମା ଦେବୀଙ୍କ ନେତୃତ୍ୱରେ ବରୀ ଅଂଚଳର ସଂଗଠିତ ସଂଗ୍ରାମୀମାନେ ସ୍ୱାଧୀନତା ଅ।।ନ୍ଦୋଳନରେ ଝାସ ଦେଇଥିଲେ । ଦୁଇ ବର୍ଷ ପୂର୍ବେ ଭୁବନେଶ୍ୱରଠାରେ ସହୀଦ ସ୍ମୃତିସ୍ତମ୍ଭ ସ୍ଥାପନ ନିମନ୍ତେ ଏଠାରୁ ପବିତ୍ର ମାଟି ସଂଗୃହୀତ କଳସକୁ ଶୋଭାଯାତ୍ରାରେ ନିଆଯାଇ ସଂଗ୍ରାମୀମାନଙ୍କ ଗାଁ ପରିକ୍ରମା କରାଯାଇଥିଲା । ଏହି ପୀଠର ଉନ୍ନତି କରିବା ପାଇଁ ସରକାରଙ୍କ ନିକଟରେ ବିଭିନ୍ନ ସମୟରେ ଦାବି ହୋଇ ଆସୁଥିଲା । ପୂର୍ବରୁ ଏହି ଗୁଳିକାଣ୍ଡର ସ୍ମାରକୀ ପୀଠ କିଆଁ ବୁଦା ପରିସରରେ ଏକ ସିମେଂଟ ଖମ୍ବ ମଧ୍ୟରେ ସୀମିତ ରହିଥିଲା ।

ଏବେ ଏହି ପୀଠର ରୂପରେଖ ବଦଳିବାକୁ ଯାଉଛି । ପାଚେରୀ ନିର୍ମାଣ ସହ ମାହତ୍ମା ଗାନ୍ଧିଙ୍କ ଦାଣ୍ଡିଯାତ୍ରାର ସ୍ମାରକୀ ଫଟୋ ଚିତ୍ର ପ୍ରଦର୍ଶିତ କରାଯାଇଛି । ଏଥିସହ ସହୀଦମାନଙ୍କ ସ୍ମାରକୀ ଉଦ୍ଦେଶ୍ୟରେ ସେମାନଙ୍କ ପ୍ରତିମୂର୍ତି ସ୍ଥାପନ ଓ ଏକ ଅଡିଟୋରିୟମର ପରିକଳ୍ପନା କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୀଠର ବିକାଶ ପାଇଁ ଅର୍ଥ ବ୍ୟୟବରାଦ କରାଯାଇଛି । ଏନେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି । ତେବେ ଏହି ପୀଠକୁ ଜାତୀୟ ସ୍ମାରକୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.