ଦାରିଙ୍ଗିବାଡ଼ିରେ ସ୍କୁଲ ଛାତ୍ରୀ ମାଆ ହେବା ଘଟଣା : ସେବାଶ୍ରମ ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ିରେ ସ୍କୁଲ ଛାତ୍ରୀ ମାଆ ହେବା ଘଟଣାରେ ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ। ପ୍ରଧାନଶିକ୍ଷୟିତ୍ରୀ ରାଧାରାଣୀ ଦଳେଇଙ୍କୁ ନିଲମ୍ବନ କରାଯାଇଥିବା ଦାରିଙ୍ଗବାଡି ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୂଚନା ଦେଇଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ନିଳମ୍ବନ ପାଇଁ ଜିଲ୍ଲାପାଳ ସୁପାରିସ କରିଥିଲେ।
ଗତକାଲି ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୯ ଜଣ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିଲା । ୩ ମହିଳା ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରାଯାଇଛି। ୨ଜଣ ମାଟ୍ରନ, ଜଣେ ଏଏନଏମ୍, ୨ଜଣ ସିସିଏ ଓ ଜଣେ ୱାଡେନଙ୍କୁ କାର୍ୟ୍ୟରୁ ବହିଷ୍କାର କରିଥିଲା ଜିଲ୍ଲା ପ୍ରଶାସନ । ଘଟଣାରେ ଆଉ କହାର ସଂପୃକ୍ତି ରହିଛି କି । ସେ ନେଇ ପୋଲିସ ତଦନ୍ତକୁ ଜୋରଜାର କରିଛି । ଏପଟେ ନାବାଳିକା ମାଆ ଓ ଶିଶୁକୁ ଗତକାଲି ରାତିରେ ବ୍ରହ୍ମପୁର ମେଡିକାଲ ନେଇଯାଇଥିବାବେଳେ ସେଠାରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଅପରପଟେ ନାବାଳିକାଟିର ଚିକିତ୍ସା ଜାରି ରହିଛି ।